ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଗଠନ ହେବ ‘ସାଇବର ସେନା’, ସମସ୍ତ ରାଜ୍ୟକୁ ଲେଖାଗଲା ଚିଠି

144

କନକ ବ୍ୟୁରୋ : ଦ୍ରୁତ ଗତିରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଭାରତ ପରବର୍ତ୍ତୀ ସ୍ତରର ସାଇବର ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ‘ସାଇବର ସେନା’ର ଏକ ଶାଖା ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶାଖାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ବାହିନୀ ସହ କେନ୍ଦ୍ରୀୟ ପୋଲିସ ସଂଗଠନର କର୍ମଚାରୀମାନେ ସାମିଲ ହେବେ । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିିତ ଅଞ୍ଚଳକୁ ସମସ୍ତ ପୋଲିସ ବାହିନୀରୁ ୧୦ ଜଣ ଉପଯୁକ୍ତ ସାଇବର ସେନା ଚିହ୍ନଟ କରିବାକୁ ଚିଠି ଲେଖାଯାଇଛି ।

‘ସାଇବର ସେନା’ର ଶାଖା ଗଠନ ବିଚାର ଚଳିତ ବର୍ଷ ଆରମ୍ଭରେ ହୋଇଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିପି ଓ ଆଇଜି ସମ୍ମିଳନୀ ଯୋଗ ଦେଇଥିଲେ ସେତେବେଳେ ଏହାର ସ୍ଥାପନା ନେଇ ସୁପାରିସ ହୋଇଥିଲା । ଗୃହମନ୍ତ୍ରଣାଳୟ ରାଜ୍ୟଗୁଡିକ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି କି, ସ୍ୱତନ୍ତ୍ର ନୂଆ ଶାଖା ସାଇବର ସୁରକ୍ଷା ବିପଦର ମୁକାବିଲା କରିବ । ଏହା ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ସୁରକ୍ଷିତ ରଖିôବା ସହ ସାଇବର ସ୍ପେଶର ଯାଂଚ କରିବ ।

ପ୍ରସ୍ତାବ ମୁତାବକ ସାଇବର କମାଣ୍ଡୋ ଶାଖା ପୋଲିସ ସଂଗଠନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ । ଏଥିରେ କମାଣ୍ଡୋ ରହିବେ, ଯେଉଁମାନେ ଆଇଟି ସୁରକ୍ଷା ଏବଂ ଡିଜିଟାଲ ଫରେନସିକ୍ କ୍ଷେତ୍ରରେ ଜ୍ଞାନୀ ଏବଂ ଯୋଗ୍ୟ ଥିବେ । ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ପୋଲିସ ସଂଗଠନର ଉପଯୁକ୍ତ ପ୍ରଶିକ୍ଷିତ ଓ ସୁସଜ୍ଜିତ ପୋଲିସ କର୍ମଚାରୀ ରହିବେ । ଆବଶ୍ୟକ ପଡିଲେ ସେମାନଙ୍କୁ ନିଯୁକ୍ତିପ୍ରାପ୍ତ ପେସାଦାରମାନେ ସହଯୋଗ କରିପାରିବେ ।