ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଶେଷ : ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ

1,565

କନକ ବ୍ୟୁରୋ : ଭୁବନେଶ୍ବରରେ ବାତ୍ୟା କ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଥିଲେ । ପାଖାପାଖି ଘଣ୍ଟାଏ ଧରି ଚାଲିଲା ସମୀକ୍ଷା ବୈଠକ । ଏରିଏଲ ସର୍ଭେରେ ଯିବେ ପ୍ରଧାନମନ୍ତ୍ରୀ । ବାଲେଶ୍ବର ଓ ଭଦ୍ରକ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ।

ଭୁବନେଶ୍ୱର ବିମାନବନ୍ଦରରେ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଔପଚାରିକ ଭାବେ ସ୍ୱାଗତ କରିଥିଲେ । ଏହା ପରେ ବାତ୍ୟାର ପ୍ରଭାବ ନେଇ ଏକ ୮ ମିନିଟର ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ପରେ ପାୱାର ପଏଂଟ ପ୍ରେଜେଂଟସନରେ ବାତ୍ୟା କିଭଳି କ୍ଷତି କରିଛି ତା’ର ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା । ତେବେ ବାତ୍ୟା ଦ୍ୱାରା ହୋଇଥିବା ଭିତିଭୁମି କ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୀର୍ଘକାଳୀନ ସହାୟତା ମାଗିଛନ୍ତି । ବିଶେଷକରି ବିପର୍ଯ୍ୟୟ ନିରୋଧି ଶକ୍ତି ଭିତିଭୁମି ଉପରେ ଗୁରୁତ୍ୱ ଦିଆଯାଇଛି । ବନ୍ୟା ବାତ୍ୟା ସମୟରେ ଯେଭଳି ଶକ୍ତି କ୍ଷେତ୍ରର ଭିତିଭୁମି ନଷ୍ଟ ନହେବ ସେହି ଦିଗରେ ଉନ୍ନତ ଜ୍ଞାନ କୌଶଳର ପ୍ରଯୋଗ ପାଇଁ ଅନୁଦାନ ଯୋଗାଇଦେବାକୁ କହିଛନ୍ତି । ଓଡ଼ିଶାର ୪୮୦ କିଲୋମିଟର ସମୁଦ୍ର ଉପକୂଳ ରହିଛି । ହେଲେ ନଦୀ ଗୁଡ଼ିକୁ ମିଶାଇ ପ୍ରାୟ ୧୬ଶହ କିଲୋମିଟର ଅଂଚଳରେ ଉପକୂଳର ସୁରକ୍ଷା ଜରୁରୀ । ତେଣୁ ସମୁଦ୍ର ଜୁଆରରୁ ଏସବୁ ଅଂଚଳକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଅନୁଦାନ ପାଇଁ ଦାବି କରାଯାଇଛି ।