କମିବନି ପେଟ୍ରୋଲ ଓ ଡିଜେଲ ଦର । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସମୀକ୍ଷା ପରେ ହେଲା ସ୍ପଷ୍ଟ । ଅରୁଣ ଜେଟଲୀ କହିଲେ, ଆର୍ଥିକ ସ୍ଥିତି ନେଇ ନରେନ୍ଦ୍ର ମୋଦି ସନ୍ତୁଷ୍ଟ

Advertisment
କମିବନି ପେଟ୍ରୋଲ ଓ ଡିଜେଲ ଦର । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସମୀକ୍ଷା ପରେ ହେଲା ସ୍ପଷ୍ଟ । ଅରୁଣ ଜେଟଲୀ କହିଲେ, ଆର୍ଥିକ ସ୍ଥିତି ନେଇ ନରେନ୍ଦ୍ର ମୋଦି ସନ୍ତୁଷ୍ଟ

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବର୍ତ୍ତମାନ ପାଇଁ କମିବନି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ସମୀକ୍ଷା ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ସଙ୍କେତ ଦେଇଛନ୍ତି । ଗତକାଲି ବିଭିନ୍ନ ଆର୍ଥିକ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ନରେନ୍ଦ୍ର ମୋଦି । ସମୀକ୍ଷା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ, ବର୍ତ୍ତମାନ ଅର୍ଥବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି । ଗତ ବର୍ଷ ଅପେକ୍ଷା ଟ୍ୟାକ୍ସ ରେଭିନ୍ୟୁ ଭଲ ରହିବ । ବୈଠକରେ ତେଲ ଦର ସମ୍ପର୍କରେ ଆଦୌ ଚର୍ଚ୍ଚା ହୋଇନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଶୁକ୍ରବାର ଓ ଶନିବାର ପ୍ରଧାନମନ୍ତ୍ରୀ ଏହି ଅର୍ଥନୈତିକ ସମୀକ୍ଷା କରିଥିଲେ । ତେଲ ଦର ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବାବେଳେ ବୈଠକରୁ ଦର କମିବା ଆଶା କରାଯାଉଥିଲା । ତେବେ ଏଭଳି କିଛି ହେବ ନାହିଁ ବୋଲି ବୈଠକ ପରେ ସ୍ପଷ୍ଟ ହୋଇଛି ।

ଭାରତୀୟ ଅର୍ଥନୀତିରେ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଦେଖାଦେଇଛି। ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଉଚ୍ଚ ସ୍ତରରେ ପହଞ୍ଚି ଯାଇଥିବା ବେଳେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ରେକର୍ଡ ସ୍ତରକୁ ଖସିଯାଇଛି। ଏ ସମ୍ପର୍କରେ ଆଲୋଚନା ସହିତ ଅର୍ଥନୀତିର ସ୍ୱାସ୍ଥ୍ୟ ପରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ହେଲା ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ମାନସମନ୍ଥନ କରିଛନ୍ତି। ଶୁକ୍ରବାର ହୋଇଥିବା ମାନସମନ୍ଥନରେ ଅର୍ଥନୀତି ପାଇଁ କେତେକ ପଦକ୍ଷେପ ଘୋଷଣା କରିଥିଲେ। ସେହିଭଳି ଗତକାଲି ମଧ୍ୟ କେତେକ ନିଷ୍ପତ୍ତି ସରକାର ନେଇଛନ୍ତି। ଏଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଶନିବାର ରାତିରେ ଏହି ସୂଚନା ଦେଇଛନ୍ତି। ବଜେଟ୍‌ରେ ଯେଉଁ ବ୍ୟୟବରାଦ କରାଯାଇଛି ସେଥିରେ କୌଣସି ହ୍ରାସ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ସରକାର ବଜେଟ୍‌ରେ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ମଧ୍ୟରୁ ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି।

ଆଗାମୀ ଦିନରେ ମଧ୍ୟ ଖର୍ଚ୍ଚରେ କୌଣସି କାଟଛାଣ୍ଟ କରାଯିବ ନାହିଁ ବୋଲି ସେ କହିଛନ୍ତି। ସେହିଭଳି ବିତ୍ତୀୟ ନିଅଣ୍ଟକୁ ଜିପିଡିର ୩.୩ ପ୍ରତିଶତରେ ରଖିବା ପାଇଁ ବଜେଟ୍‌ରେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଉଲ୍ଲଂଘନ ହେବନାହିଁ ବୋଲି ମଧ୍ୟ ଜେଟ୍‌ଲି କହିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଥିବାରୁ ଆକଳନଠାରୁ ଦେଶର ଅଭିବୃଦ୍ଧି ଅଧିକ ରହିବ। କଳାଟଙ୍କା ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସହିତ ବିମୁଦ୍ରୀକରଣ ଯୋଗୁ ପ୍ରତ୍ୟକ୍ଷ ଟିକସ ଆଦାୟ ଭଲ ରହିଛି। ଟିକସଦାତାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବଜେଟ୍‌ରେ ରଖାଯାଇଥିବା ପ୍ରତ୍ୟକ୍ଷ ଟିକସ ଆଦାୟ ଲକ୍ଷ୍ୟକୁ ହାସଲ କରାଯାଇପାରିବ। ସେହିଭଳି ଜିଏସ୍‌ଟି ବ୍ୟବସ୍ଥିତ ହେବାରେ ଲାଗିଛି। ଏଥିଯୋଗୁଁ ଆଗାମୀ ଦିନରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଆଦାୟ ବୃଦ୍ଧି ପାଇବ ବୋଲି ଜେଟ୍‌ଲି କହିଛନ୍ତି। ଅର୍ଥନୀତିର ବିଭିନ୍ନ ମାନଦଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe