କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଆସନ୍ତା ବର୍ଷ ୟୁପି ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ହେବାକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳକୁ ନୂଆ ରୂପ ଦେଇଛନ୍ତି। ମନ୍ତ୍ରିମଣ୍ଡଳରୁ ୧୨ ଜଣଙ୍କୁ ବାଦ୍ ଦେଇଛନ୍ତି। ୭ ଜଣଙ୍କୁ ପଦୋନ୍ନତି ଦେଇଛନ୍ତି ଏବଂ ୩୬ ଜଣଙ୍କୁ ତାଙ୍କ ଟିମରେ ସାମିଲ କରିଛନ୍ତି। ଏହାସହିତ ମନ୍ତ୍ରୀମାନଙ୍କ ବିଭାଗରେ ବଡ଼ ଧରଣର ଅଦଳବଦଳ ମଧ୍ୟ କରିଛନ୍ତି।
ଓଡ଼ିଶାରୁ ଜଣେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଦ ପଡ଼ିଥିବା ବେଳେ ଆଉ ଦୁଇ ଜଣଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁ। ଓଡ଼ିଶାର ସମସ୍ତ ତିନି ଜଣ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ମିଳିଛି। ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ମନ୍ତ୍ରୀ ହୋଇଥିବା ବେଳେ ଅଶ୍ବିନୀଙ୍କୁ ରେଳ ବିଭାଗ ମିଳିଛି। ସେହିଭଳି ବିଶ୍ବେଶ୍ବରଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗର ରାଷ୍ଟ୍ର ମନ୍ତ୍ରୀ କରାଯାଇଛି।
ହର୍ଷ ବର୍ଧନଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ମନସୁଖ୍ ମଣ୍ଡାଭିୟାଙ୍କୁ ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ କରାଯାଇଛି। ହରଦୀପ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ଦିଆଯାଇଥିବା ବେଳେ କିରନ ରିଜ୍ଜୁଙ୍କୁ ଆଇନ ବିଭାଗ ଦିଆଯାଇଛି। କଂଗ୍ରେସ ଛାଡ଼ି ବିଜେପିେର ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବେସାମରିକ ବିମାନ ଚଳାଚଳ ବିଭାଗ। କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ପାଇଥିବା ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ବିଭାଗ, ପୀୟୂଷ ଗୋଏଲଙ୍କୁ ବାଣିଜ୍ୟ ଏବଂ ସ୍ମୃତି ଇରନୀଙ୍କୁ ମିଳିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।
ବିଦାହେଲେ ହେଭିୱେଟ୍ -
ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ କେତେ ଜଣ ଯୋଗଦେଲେ ତାହାକୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାହାଠାରୁ ବେଶି ଚର୍ଚ୍ଚା ହେଉଛି କିଛି ବରିଷ୍ଠ ମନ୍ତ୍ରୀଙ୍କ ସମେତ ୧୨ ଜଣଙ୍କୁ ବିଦା କରିବା ଘଟଣା। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମନ୍ତ୍ରିମଣ୍ଡଳରୁ ୨୦ ପ୍ରତିଶତ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। କାର୍ଯ୍ୟଦକ୍ଷତାରେ ବିଫଳତା ଯୋଗୁଁ ସେମାନଙ୍କୁ ବିଦା କରାଯାଇଛି ବୋଲି ସୂଚାଇ ଦିଆଯାଇଛି। ତେବେ ଅପ୍ରତ୍ୟାଶିତ ଭାବେ ଯେଉଁମାନଙ୍କୁ ବାଦ୍ ଦିଆଯାଇଛି ସେମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ହେଉଛନ୍ତି ଦୁଇ ବରିଷ୍ଠ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକର। ରବି ଶଙ୍କର ଆଇନ ଏବଂ ଆଇଟି ବିଭାଗ ଦାୟିତ୍ବରେ ଥିବା ବେଳେ ଜାଭଡେକରଙ୍କ ହାତରେ ଥିଲା ସୂଚନା-ପ୍ରସାରଣ ଏବଂ ପରିବେଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ। ଜାଭଡେକର ସରକାରଙ୍କର ମୁଖପାତ୍ର ମଧ୍ୟ ଥିଲେ। ଏହି ଦୁଇ ଜଣ ମୋଦୀଙ୍କ ପ୍ରଥମ ଇନିଂସ ସରକାରରେ ମଧ୍ୟ ଥିଲେ। କେବଳ ଏତିକି ନୁହେଁ, ବାଜପେୟୀ ସରକାରରେ ମଧ୍ୟ ସେମାନେ ମନ୍ତ୍ରୀ ଥିଲେ। ଫେସବୁକ୍ ଏବଂ ଟ୍ବିଟରକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ରବି ଶଙ୍କର ପ୍ରସାଦଙ୍କ ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏଭଳି ବିବାଦ ମଧ୍ୟ ବିଶ୍ବ ଦରବାରରେ ଭାରତର ଭାବମୂର୍ତିକୁ କ୍ଷୁଣ୍ଣ କରିଛି।
ସେହିଭଳି କୋଭିଡର ଦ୍ବିତୀୟ ଲହରର ମୁକାବିଲାରେ ବିଫଳତା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଧନଙ୍କୁ ବିଦା କରାଯାଇଥିବା କୁହାଯାଉଛି। ଏଥର କୋଭିଡ୍ ସଙ୍କଟ ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ବଦନାମ ହେବାକୁ ପଡ଼ିଛି। ଭାରତରେ ଏଥର ସଂକ୍ରମଣ ଏବଂ ମୃତ୍ୟୁ ବିଶ୍ବର ସବୁ ଅଲୋଡ଼ା ରେକର୍ଡକୁ ଭାଙ୍ଗିଥିଲା। ମେଡିକାଲରେ ଅକ୍ସିଜେନର ଅଭାବ, ଶ୍ମଶାନର କରୁଣ ଦୃଶ୍ୟ ଏବଂ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣା ମଧ୍ୟ ଦେଶ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଏହାସହିତ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏବଂ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ମଧ୍ୟ ବିଦା କରି ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/cabiment-minister-odisha.jpg)