ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ : ରାଗିଲେ ମୋଦୀ; ରାଗିଯାଇ ମୋଦୀ କହିଲେ, ମହିଳା ଓ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିବାରୁ ସହି ପାରୁନାହାନ୍ତି କିଛି ଲୋକ

722

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଯାହା ଅନୁମାନ କରାଯାଉଥିଲା, ଅଧିବେଶନର ପ୍ରଥମ ଦିନରେ ଠିକ୍ ସେହି ଚିତ୍ର ଦେଖିବାକୁ ମିଳିଛି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୃହ ଭିତରେ ବିରୋଧୀ ଏମିତି ନାରାବାଜି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ କୁହାଇ ଦେଇନାହାନ୍ତି । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ପ୍ରଥମେ ଶପଥ ନେଇଥିଲେ । ଏହାପରେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଉଥିଲେ ପ୍ରଧାନମନ୍ତ୍ରୀ ।

ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇନାହିଁ । ଆଉ ଏଥିରେ ରାଗିଯାଇ ମୋଦୀ କହିଛନ୍ତି, ତାଙ୍କ ନୂଆ ଟିମରେ ସାମିଲ ଦଳିତ, ମହିିଳା ଓ ଆଦିବାସୀ ମନ୍ତ୍ରୀମାନଙ୍କୁ ସହ୍ୟ କରିପାରୁନାହାନ୍ତି ବିରୋଧୀ । ଏଥର ମୋଦୀଙ୍କ ନୂଆ ଟିମରେ ଅଧିକ ସଂଖ୍ୟକ ମହିଳା, ଦଳିତ ଓ ଆଦିବାସୀଙ୍କୁ ସାମିଲ କରାଯାଇଥିବା ମୋଦୀ କହିଛନ୍ତି । ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଂଚଳ ପୃଷ୍ଟଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି ।

ତେବେ ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ପେଗାସସ ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ ।