ଜାତିସଂଘ ଜଳବାୟୁ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ । କହିଲେ, ଭାରତରେ ଖୁବଶୀଘ୍ର ପ୍ଲାଷ୍ଟିକ ଉପରେ ପଡିବ ପୂର୍ଣ୍ଣଚ୍ଛେଦ

108

କନକ ବ୍ୟୁରୋ : ନ୍ୟୁୟର୍କରେ ଜାତିସଂଘ ଜୟବାୟୁ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିଶ୍ୱନେତାଙ୍କୁ ମୋଦି କହିଛନ୍ତି, ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବା ପାଇଁ ସାରା ବିଶ୍ୱ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁନାହିଁ । ଏବେ ଆଉ କିଛି କହିବାର ସମୟ ନାହିଁ , କାମ କରିବାର ବେଳ ଆସିଛି । ଜଳବାୟୁ ସଙ୍କଟର ମୁକାବିଲା ଦିଗରେ ଭାରତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଥିବା ଦର୍ଶାଇ ମୋଦି କହିଛନ୍ତି, ଆମେ ୧୫ କୋଟି ପରିବାର ପାଇଁ ସ୍ୱଚ୍ଛ ଜାଳେଣି ଗ୍ୟାସ ସଂଯୋଗ କରିଛୁ ।

ଜଳ ସମ୍ପଦ ବିକାଶ, ଜଳ ସଂରକ୍ଷଣ ଏବଂ ବର୍ଷା ଜଳ ସଂରକ୍ଷଣ ପାଇଁ ଆମେ ଜୀବନ ମିସନ ଆରମ୍ଭ କରିଛୁ । ଆସନ୍ତା ସ୍ୱାଧୀନତା ଦିବସରେ ଭାରତ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ମୋଦି ଦୃଢୋକ୍ତି ବାଢିଛନ୍ତି । ଭାରତର ସୌର ଅଭିଯାନରେ ୮୦ ଦେଶ ସାମିଲ ଅଛନ୍ତି ବୋଲି ମୋଦି କହିଛନ୍ତି । ଅଧିବେଶନରେ ମୋଦି ଅକ୍ଷୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ପରିସ୍ଥିତି ଦିନକୁ ଦିନ ବିଗିଡା ଯାଉଥିବାରୁ ମୋଦି ପରିବେଶ ସୁରକ୍ଷା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଶ୍ୱନେତାଙ୍କୁ ଅନୁରୋଧ କରିଛନ୍ତି ।