କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ । ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୋଦୀ । ନିକଟରେ ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଉଭୟ ଭାରତ ଓ ଫ୍ରାନ୍ସ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଚୁକ୍ତି ହେବାର ଅଛି । ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିବେ । ଏହା ସହ ଭାରତ ଫ୍ରାନ୍ସ ଠାରୁ ସାମରିକ ଅସ୍ତ୍ରଶସ୍ତ୍ର କିଣିବା ବିଷୟରେ ମଧ୍ୟ ଆଲୋଚନା ହେବ ।

Advertisment

ବିଶେଷକରି ନୌସେନା ପାଇଁ ଭାରତ ଫ୍ରାନ୍ସ ଠାରୁ ୨୬ଟି ରାଫେଲ ବିମାନ କିଣିବାକୁ ଯାଉଛି । ଏହାସହ ୩ଟି ବୁଡ଼ାଜାହାଜ ମଧ୍ୟ କିଣିବା ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇପାରେ । ପ୍ରାୟ ୯୦ ହଜାର କୋଟିର ଏହି ଚୁକ୍ତି ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ବାୟୁସେନା ପାଇଁ ଭାରତ ଫ୍ରାନ୍ସ ଠାରୁ ୩୬ଟି ରାଫେଲ ବିମାନ କିଣିଥିଲା । ହେଲେ ଏଥର ଯେଉଁ ଯୁକ୍ତି ହେବ ତାହା ନୌସେନାର ବିମାନ ପାଇଁ । ନିଜ ଗସ୍ତ ସମୟରେ ମୋଦୀ ଫ୍ରାନ୍ସର ବାଷ୍ଟିଲ ଡେ' ପରେଡରେ ମଧ୍ୟ ସାମିଲ ହେବେ । ଏଥିରେ ତାଙ୍କୁ ଗେଷ୍ଟ ଅଫ୍ ଅନରରେ ସମ୍ମାନିତ କରାଯିବ ।