ବିଶ୍ୱକପ୍ ବିଜୟ ପରେ ଚାରିଆଡେ ଉତ୍ସବ । ସୋସିଆଲ ମିଡ଼ିଆରେ ରୋହିତ ବାହିନୀକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

163

କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଟି୨୦ ବିଶ୍ୱକପରେ ବିଜୟୀ ହୋଇଥିବା ବେଳେ ଦେଶବ୍ୟାପୀ ଉତ୍ସବ ପାଳନ କରାଯାଇଛି । ଉତରରୁ ଆରମ୍ଭ କରି ଦକ୍ଷିଣ ଏବଂ ପୂର୍ବଠୁ ନେଇ ପଶ୍ଚିମ ଭାରତର ବିଭିନ୍ନ ସ୍ଥାନରେ କ୍ରିକେଟ ପ୍ରେମୀ ମାନେ ବାଣ ଫୁଟାଇ ବାଜ ବଜାଇ ଉତ୍ସବ ମନାଇଛନ୍ତି । ୨୦୦୭, ୨୦୧୧ରେ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ହାସଲ ପରେ ପୁଣିଥରେ ୨୦୨୪ ଭାରତକୁ ବିଶ୍ୱକପ୍ ଫେରିଛି, ଏହା ଉତ୍ସବର ସମୟ ଏବଂ ଗୌରବର ସମୟ ବୋଲି କ୍ରିକେଟପ୍ରେମୀ କହିଛନ୍ତି । ବିଭିନ୍ନ ସ୍ଥାନରେ ହିନ୍ଦୁସ୍ଥାନ ଜିନ୍ଦାବାଦ ନାରା ଲଗାଯାଇଛି ।

ଟି-୨୦ ବିଶ୍ୱକପ ବିଜୟ ପରେ ଟିମ୍ ଇଣ୍ଡିଆକୁ ବିଭିନ୍ନ ମହଲରୁ ଛୁଟୁଛି ଶୁଭେଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ନେତା ମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ରୋହିତ ବାହିନୀକୁ ଶୁଭେଛା ଜଣାଇଛନ୍ତି । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ସମେତ ବିଭିନ୍ନ ଦମଦାର ଖେଳାଳି ମଧ୍ୟ ଭାରତୀୟ ଟିମକୁ ଶୁଭେଛା ଜଣାଇଛନ୍ତି ।