ସହିଦ ଯବାନ ଅମର ରହେ… ଭାରତ-ଚୀନ ସୀମା ଲଢେଇରେ ବଳିଦାନ ଦେଇଥିବା ଯବାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ

821

କନକ ବ୍ୟୁରୋ: ସହିଦଙ୍କ ପାଇଁ ନିରବ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ । ଚୀନ ସୀମାରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ଯବାନଙ୍କ ଅମର ଆତ୍ମା ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ମୋଦି । ଏଥିସହ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଆସନରୁ ଛିଡା ହୋଇ ନିରବ ପ୍ରାର୍ଥନା କରିଥିଲେ ।

ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏକ କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ । ତେବେ ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭରେ ସେ ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ନିଜର ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ । ଏ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ତାହାର ଦୃଢ ଜବାବ ଦିଆଯିବ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି । ଭାରତକୁ ଉସୁକାଇଲେ, ଏକ ଦୃଢ ଜବାବ ଦେବାକୁ ସକ୍ଷମ ।

Comments are closed.