କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ବିଦାୟୀ ଦିନରେ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋକି ପାରିଲେନି ଲୁହ । ୨୦୦୭ ମସିହାର ଜମ୍ମୁକାଶ୍ମୀରର ଏକ ଆତଙ୍କବାଦୀ ଆକ୍ରମଣ ବେଳେ ଗୁଲାମ ନବୀ କରିଥିବା ସହାୟତା ମନେପକାଇ ହେଲେ ଭାବବିହ୍ୱଳ । କହିଲେ, ରାଜନୈତିକ ବିଚାରଧାରାର ମତଭେଦ ଠାରୁ ଉର୍ଦ୍ଧରେ ବନ୍ଧୁତା ।

Advertisment

ଜୁଲାଇ ୨୦୦୭, କଶ୍ମୀର । ଗୁଜରାଟରୁ କଶ୍ମୀର ବୁଲିବାକୁ ଯାଇଥିବା ଏକ ଟୁରିଷ୍ଟ ବସ ଉପରେ ଆତଙ୍କବାଦୀମାନେ ହମଲା କରିଦେବା ପରେ ଚାରିଆଡେ ଶୋକର ଛାୟା ଖେଳିଗଲା । କିଏ ମାକୁ ହରାଇଲା, ଆଉ କିଏ ବାପା । ସେତେବେଳେ ଜମ୍ମୁକଶ୍ମୀରର ମୁଖ୍ୟମନ୍ତ୍ରୀ ଥାନ୍ତି ଗୁଲାମ ନବୀ ଆଜାଦ । ନିଜେ ଆଜାଦ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଉଥିଲେ । ମଙ୍ଗଳବାର ରାଜ୍ୟସଭାରୁ ବିଦାୟ ନେଉଥିବା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ ମୋଦୀ ।

ପ୍ରଧାନମନ୍ତ୍ରୀ ଏଭଳି ଭାବପ୍ରବଣ ହୋଇଯାଇଥିଲେ ଯେ, ତାଙ୍କ ପାଟିରୁ କଥା ବାହାରିନଥିଲା । ବିରୋଧୀ ନେତାଙ୍କ ଭିତରେ କଡା ବାକ୍ ଯୁଦ୍ଧ ଆପଣ ଅନେକ ସମୟରେ ଦେଖିଥିବେ । ବିଚାରଧାରାର ମତଭେଦ ଭିତରେ କିନ୍ତୁ ପରସ୍ପର ପ୍ରତି ଏଭଳି ସମ୍ମାନର ଦୃଶ୍ୟ ବି ଦେଖିବାକୁ ମିଳେ ।

ମୋଦୀଙ୍କ ଅଭିଭାଷଣକୁ ଏପଟେ ଗୁଲାମ ନବୀ ଆଜାଦ ବେଶ ଶ୍ରଦ୍ଧାର ସହ ଶୁଣୁଥିଲେ ଏବଂ ହାତଯୋଡି ପ୍ରତିସମ୍ମାନ ଜଣାଉଥିଲେ । ଏବଂ ନିଜ ଅଭିଭାଷଣରେ ସେହି ଘଟଣାକୁ ଉଲ୍ଲେଖ କରିଥିଲେ । ୭୧ବର୍ଷୀୟ ଗୁଲାମ ନବୀ ନିଜ ଅଭିଭାଷଣରେ କହିଥିଲେ ସେ ପାକିସ୍ତାନ ଯାଇନାହାନ୍ତି ଏବଂ ଜଣେ ହିନ୍ଦୁସ୍ଥାନୀ ମୁସଲିମ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି । ଯଦି ଜଣେ ମୁସଲିମ ଗର୍ବ ଅନୁଭବ କରିପାରିବେ, ସେ ହେଉଛି ଜଣେ ଭାରତୀୟ ମୁସଲିମ ।