ଆମେରିକାରେ ମୋଦୀ ମୋଦୀ । ବର୍ଷାରେ ଭିଜି ଭିଜି ଏୟାରପୋର୍ଟରେ ସ୍ୱାଗତ କଲେ ପ୍ରବାସୀ ଭାରତୀୟ ।

187

କନକ ବ୍ୟୁରୋ : ବିଦେଶ ମାଟିରେ ମୋଦୀ ମୋଦୀ ନାରା ଦେଉଛନ୍ତି ଭାରତୀୟ । ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ନେତୃତ୍ୱ ନେବା ପରେ ପ୍ରଥମ ଥର ପାଇଁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ମହାମାରୀ ଓ ଆଫଗାନିସ୍ତାନରେ ତାଲିବାନର କବଜା ପରେ ମୋଦୀଙ୍କ ଗସ୍ତର ଗୁରୁତ୍ୱ ବଢିଯାଇଛି । ଏହି ଗସ୍ତ ସମୟରେ ଭାରତ-ଆମେରିକା ଆହୁରି ନିକଟତର ହେବା ସହ ଚୀନର ଘେରାବନ୍ଦୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରେ । କ୍ୱାଡ ରାଷ୍ଟ୍ର ସମୁହର ବୈଠକରେ ମୋଦୀ, ଆତଙ୍କବାଦ ଓ କରୋନା ପ୍ରସଙ୍ଗ ଉଠାଇପାରନ୍ତି । ଚୀନର ଟିକା କୂଟନୀତି ବିରୋଧରେ ଏକାଠି ହୋଇପାରନ୍ତି କ୍ୱାଡ ସଦସ୍ୟ । ସେହିପରି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଚୀନ୍ ବିରୋଧରେ କୂଟନୈତିକ ସହମତି ସୃଷ୍ଟି କରିପାରନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ୱାଶିଂଟନ ଡିସି ପହଂଚିବା ପରେ ବିମାନ ବନ୍ଦର ବାହାରେ ଥିଲା କିଛି ରୋଚକ ଦୃଶ୍ୟ । ବର୍ଷାରେ ଭିଜି ଭିଜି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ ଶତାଧିକ ପ୍ରବାସୀ ଭାରତୀୟ । ଜାତୀୟ ପତାକା ଧରି ଆମେରିକାରେ ରହୁଥିବା ଭାରତୀୟ ମୋଦି ମୋଦି ନାରା ଦେଉଥିଲେ । ଏୟାରପୋର୍ଟରେ ଆମେରିକା ବିଦେଶ ମନ୍ତ୍ରାଳୟର ଉଚ୍ଚ ଅଧିକାରୀ ଏବଂ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ୍ ସିଂ ସାନ୍ଧୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୋଦିଙ୍କ ଏହି ଗସ୍ତ ଉପରେ କେବଳ ଭାରତ ନୁହେଁ ବରଂ ବିଶ୍ୱ ସମୁଦାୟର ନଜର ରହିଛି ।

ଆମେରିକାରେ ଟ୍ରମ୍ପ ଶାସନର ଅନ୍ତ ଓ ବାଇଡେନ ଯୁଗର ଆରମ୍ଭ ପରେ ବିଶ୍ୱର ବୃହତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ “ମୋଦି’ ପ୍ରଥମ ଥର ଆମେରିକା ଗସ୍ତରେ ଅଛନ୍ତି । ଆଫଗାନିସ୍ତାନରେ ତାଲିବାନର କବଜା ପରେ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ଅନ୍ୟ ଏକ ସମୀକରଣ ସୃଷ୍ଟି ହୋଇଥିବା ବେଳେ ମୋଦିଙ୍କ ଏହି ଗସ୍ତ ବହୁ ଦିଗରୁ ଗୁରୁତ୍ୱ ବହନ କରୁଛି । କରୋନା କାଳରେ ପ୍ରଥମ ଥର ପାଇଁ ମୋଦି ବିଦେଶ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ସପ୍ତମ ଆମେରିକା ଗସ୍ତ ।

• କ୍ୱାଡ ବୈଠକରେ ଯୋଗଦେଇ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ
• ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତିରେ ପଡ଼ିପାରେ ମୂଳଦୁଆ
• ଜୋ ବାଇଡେନଙ୍କ ସହ ବୈଠକରେ ଭାରତ ଓ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରୟାସ କରିବେ ମୋଦି
• ବିଶେଷ କରି ପ୍ରତିରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ରହିବ
• ସେହିପରି ଜାତିସଂଘର ୭୬ତମ ସାଧାରଣ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
• ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ରଖିବେ ମୋଦି
• ସମ୍ବୋଧନରେ କରୋନା ମହାମାରୀ, ଆତଙ୍କବାଦ, ଜଳବାୟୁ ପରିବର୍ତନ ପରି ପ୍ରସଙ୍ଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ଭାବନା ରହିଛି ।

ବାଇଡେନ୍ ଓ ମୋଦି ଭର୍ଚୁଆଲରେ ଏକାଧିକ ବାର ଭେଟିଥିବା ବେଳେ ଶୁକ୍ରବାର ପ୍ରଥମ ଥର ବ୍ୟକ୍ତିଗତ ଭାବେ ସାକ୍ଷାତ କରିବେ । ଟ୍ରମ୍ପଙ୍କ ସହ ମୋଦିଙ୍କ ବନ୍ଧୁତା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇଥିଲା । ଆଉ ବାଇଡେନଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ତିଆରି କରି ଭାରତ-ଆମେରିକା ସମ୍ପର୍କକୁ ଆହୁରି ସମୃଦ୍ଧ କରିବାକୁ ଚେଷ୍ଟା କରିପାରନ୍ତି ପ୍ରଧାନମନ୍ତ୍ରୀ ।