କୋରାପୁଟରେ ପିକଅପ୍ ଭ୍ୟାନ ଓଲଟି ୯ ଜଣଙ୍କର ମୃତ୍ୟୁ ଘଟଣା । ମୃତକ ଓ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ମୋଦି

177

କନକ ବ୍ୟୁରୋ: କୋରାପୁଟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟୁଇଟ୍ କରାଯାଇଛି । ଯେଉଁଥିରେ କୋରାପୁଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଜାତୀୟ ରିଲିଫ୍ ଫଣ୍ଡରୁ ଅନୁକମ୍ପା ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା କୋଟପାଡ ଥାନା ସିନ୍ଧିଗା ନିକଟରେ ଏକ ପିକଅପ୍ ଭ୍ୟାନ ଓଲଟିପଡିଥିଲା । ଯାହା ଫଳରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ହାନି ହେବା ସହିତ ଅନେକ ଆହତ ହୋଇଥିଲେ । ସେମାନେ ଏକ ଦଶାହ ଭୋଜିରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଏହାପରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକପ୍ରକାଶ କରିଥିଲେ । ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ସବୁ ଲୋକଙ୍କୁ ସେ ନିଜର ସମବେଦନା ଜଣାଇଥିଲେ । ଏଥିସହ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସବୁ ଲୋକଙ୍କର ସେ ଆଶୁ ଆରୋଗ୍ୟ କାମନା କରିଥିଲେ ।