କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୭୦ ହଜାର ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଷଷ୍ଠ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ସାରା ୪୩ଟି ସ୍ଥାନରେ ଦ୍ଵାରା ଆୟୋଜିତ ହୋଇଛି ରୋଜଗାର ମେଳା । ଏହି କାର୍ଯ୍ୟକ୍ରମକୁ  ସମ୍ବୋଧିତ କରି ମୋଦୀ କହିଛନ୍ତି, ରୋଜଗାର ମେଳା ଏବେ ଏନଡିଏ-ବିଜେପି ସରକାରର ନୂଆ ପରିଚୟ ପାଲଟିଗଲାଣି । ଏବେ ଭାରତରେ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ରହିଛି । ଖୁସିର କଥା ଯେ, ବିଜେପି ଶାସିତ ସରକାରରେ ଏଭଳି ରୋଜଗାର ମେଳାର ଆୟୋଜନ କରାଯାଉଛି ।

Advertisment

ଏହାସହ ମୋଦୀ କହିଛନ୍ତି, ଯେଉଁମାନେ ଏବେ ସରକାରୀ ଚାକିରିରେ ଯୋଗ ଦେଉଛନ୍ତି ସେମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ  ସମୟ । ଆପଣଙ୍କ ସାମ୍ନାରେ ଆଗାମୀ ୨୫ ବର୍ଷ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବାର ଦାୟିତ୍ୱ ରହିଛି । ଷ୍ଟାର୍ଟ ଅପ୍ ଇଣ୍ଡିଆ ଓ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଜରିଆରେ ଯୁବକ ମାନେ ନିଜେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ସରକାରଙ୍କ ଦ୍ୱାରା ସହାୟତା ପାଇଥିବା ଯୁବବର୍ଗ ଏବେ ଅନ୍ୟ ଯୁବବର୍ଗଙ୍କୁ ନିଯୁକ୍ତି ଦେଉଛନ୍ତି । ଏବେ ପୂରା ବିଶ୍ୱ ଆମ ବିକାଶ ଯାତ୍ରା ସହ ଆଗକୁ ବଢିବାକୁ ତତ୍ପର । ଭାରତକୁ ନେଇ ବିଶ୍ୱାସ ଓ ଆମ ଅର୍ଥବ୍ୟବସ୍ଥା ଉପରେ ଏତେ ଭରସା ପୂର୍ବରୁ କେବେ ବିଶ୍ୱର ନଥିଲା । ଅନେକ କଠିନ ପରିସ୍ଥିତି ଭିତରେ ଭାରତ ନିଜର ଅର୍ଥବ୍ୟବସ୍ଥାକୁ ନୂଆ ଶିଖରରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛି । ଏବେ ବିଶ୍ୱର ବଡ ବଡ କମ୍ପାନି ଭାରତ ମୁହାଁ ହୋଇଛନ୍ତି ।