ଟିକାକରଣ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ: କରୋନା ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ହେବ ଆଲୋଚନା

୧୬ରୁ ଟିକାକରଣ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

84

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  । ଦେଶରେ କରୋନା ମହାମାରୀର ସ୍ଥିତି ଓ ଟିକାକରଣ ପ୍ରସଙ୍ଗରେ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିବେ  । ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରହିଛି  । ଏହି ପର୍ଯ୍ୟାୟରେ ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବ  ।

ଭିଡିଓ କନଫେରେନ୍ସିଂ ଜରିଆରେ  ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ  । ସୂଚନାଯୋଗ୍ୟ ଯେ, ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଦୁଇଟି ଟିକା କୋଭାକସିନ୍ ଓ କୋଭିସିଲଡକୁ ଅନୁମତି ଦେଇ ସାରିଛନ୍ତି  । ଏହାସହ ଟିକାକରଣ ପୂର୍ବରୁ ଡ୍ରାଏରନ୍ କରାଯାଇଥିବା ବେଳେ କୋ-ୱିନ୍ ଆପର ବ୍ୟବହାର ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି  । ସେପଟେ ଆଜି କିମ୍ବା କାଲି ଠାରୁ  ସିରମ ଇନଷ୍ଟିଚ୍ୟୁଟର ପୁନେ ଉତ୍ପାଦନ କେନ୍ଦ୍ରରୁ ଦେଶର ବିଭିନ୍ନ ଜାଗାକୁ ଟିକା ପଠାଇବା କାମ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଆସନ୍ତା ୧୬ ତାରିଖ ଅର୍ଥାତ୍ ଶନିବାର ଦିନ ସାରା ଦେଶ ସହ ଓଡିଶାରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଏକକାଳୀନ ରାଜ୍ୟର ମୋଟ ୧୬୦ ଟି ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଦିଆଯିବ କରୋନା ଟିକା । ୩୦ଟି ଜିଲ୍ଲା ଓ ଭୁବନେଶ୍ୱର ସମେତ ୫ଟି ମହାନଗର ନିଗମରେ ଏହି ଟିକାକରଣ ହେବ । ପ୍ରଥମ ପର୍ଯ୍ୟାନ୍ତ ଟିକାକରଣ କେଉଁ ଜିଲ୍ଲାରେ କେତେ କେନ୍ଦ୍ରରେ ଟିକା ଦିଆଯିବ, ଏହାର ପୂରା ତାଲିକା ଦେଇଛନ୍ତି ରାଜ୍ୟ ସରକାର । ମୟୁରଭଂଜରେ ସର୍ବାଧିକ ୧୦ଟି କେନ୍ଦ୍ରରେ ଟିକାକରଣ ହେବ ବୋଲି କୁହାଯାଇଛି । ଗଂଜାମ, କଟକ, ପୁରୀରେ ୮ଟି ଲେଖାଁଏ କେନ୍ଦ୍ର ଓ ରାୟଗଡ଼ା ଓ କଳାହାଣ୍ଡିରେ ୭ଟି ଲେଖାଁଏ କେନ୍ଦ୍ରରେ ହେବ ଟିକାକରଣ । ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ାରେ ୬ଟି ଲେଖାଁଏ କେନ୍ଦ୍ରରେ ଟିକାକରଣ କରାଯିବ ।

ସେହିପରି ଭୁବନେଶ୍ୱର ମହାନଗର, ଖୋର୍ଦ୍ଧା, ସମ୍ବଲପୁର, କୋରାପୁଟ, କନ୍ଧମାଳ, ଯାଜପୁର, ବାଲେଶ୍ୱର ଜିଲ୍ଲାର ୫ଟି ଲେଖାଁଏ ସ୍ଥାନରେ କରୋନା ଟିକା ଦିଆଯିବ । ସରକାରୀ ଡାକ୍ତରଖାନା, ସିଏଚସି, ପିଏଚସି ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ କରାଯିବ ଟିକାକରଣ । ପ୍ରତି ସ୍ଥାନରେ ୧୦୦ ଜଣ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା । ଗୋଟିଏ ଦିନରେ ରାଜ୍ୟରେ ୧୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ପାରିବ । ପ୍ରାଥମିକ ପର୍ଯ୍ୟାୟରେ ୩ଲକ୍ଷ ୨୮ହଜାର ୫୦୦ ସ୍ୱାସ୍ଥ୍୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଟିକାକରଣ ଲାଗି ରାଜ୍ୟକୁ ସିରିଂଜ ଓ ଅନ୍ୟ ଉପକରଣ ଆସିସାରିଛି । ଖୁବ ଶୀଘ୍ର ଟିକା ପହଁଚିଯିବ ବୋଲି ଆଶା କରାଯାଉଛି । କମ୍ପାନୀ ପାଖରୁ ସିଧାସଳଖ ଷ୍ଟେଟ୍ ଭ୍ୟାକ୍ସିନ୍ ସେଂଟରକୁ ଟିକା ଆସିବ ।