ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବ ନା ଆଗକୁ ବଢ଼ିବ? ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ ଘଂଟା ଆଲୋଚନା କଲେ ପ୍ରଧାନମନ୍ତ୍ରୀ; ବଢ଼ାଇବାକୁ ୬ ରାଜ୍ୟର ଦାବି

ଲକଡାଉନ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ, ସାମାଜିକ ଦୂରତା ରଖି ଅର୍ଥନୀତି ଆଗେଇ ନେବାକୁ ମୋଦିଙ୍କ ଗୁରୁତ୍ୱ

759

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲକଡାଉନକୁ ଶେଷ ହେବାକୁ ଆଉ ବାକି ଅଛି ପାଂଚ ଦିନ । ତେବେ ଲକଡାଉନ ଆଗକୁ ବଢ଼ିବ କି ନାହିଁ ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଲୋକେ । ଏଭଳି ସମୟରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ଘଂଟା ଧରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୪ ଦିନିଆ ତାଲାବନ୍ଦ ମେ’ ୧୭ରେ ଶେଷ ହେବ କି ଆଗକୁ ବଢ଼ିବ, ଏ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ମତ ରଖିଥିବାବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ମତ ରଖିଛନ୍ତି । ତେବେ ମେ ୧୫ ସୁଦ୍ଧା ଚୂଡାନ୍ତ ମତାମତ ରଖିବାକୁ କହିଛନ୍ତି ମୋଦି । ସାମାଜିକ ଦୂରତା ରକ୍ଷା କରି କେମିତି ଅଧିକରୁ ଅଧିକ ଆର୍ଥିକ ଗତିବିଧି ଚାଲି ପାରିବ ତା ଉପରେ ଜୋର ଦେବାକୁ ସେ ଆହ୍ୱାନ ଦେଇଛନ୍ତି । କହିଛନ୍ତ, କରୋନା ପରେ ଏକ ନୂଆ ଜୀବନଶୈଳୀ ବିକଶିତ ହେବ । ଦେଶରେ ପର୍ଯ୍ୟଟନର ବହୁତ ସମ୍ଭାବନା ରହିଛି । ଏହାକୁ ବି ନୂଆ ନଜରରେ ରଖି ଆଗକୁ ବଢ଼ିବାକୁ ପଡିବ । ବୈଷୟିକ ଜ୍ଞାନକୌଶଳକୁ ଧ୍ୟାନରେ ରଖି ଶିକ୍ଷାର ନୂଆ ମଡେଲ ବିକଶିତ କରିବାକୁ ପଡିବ ।

ଅନ୍ୟପଟେ ୬ଟି ରାଜ୍ୟ ତାଲାବନ୍ଦ ସପକ୍ଷରେ ଯୁକ୍ତି ଦର୍ଶାଇଥିବା ଜଣାପଡିଛି । ଏବଂ ଆଉ କିଛି ରାଜ୍ୟ ତାଲାବନ୍ଦ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦେବାକୁ ପ୍ରସ୍ତାବ ଦେଇଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଲକ୍ଡାଉ୍ନ୍ ଅବଧି ବଢ଼ାଇବାକୁ ଚାହୁଁଥିବା ସୂଚନା ମିଳିଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ଆଗରେ ଭିନ୍ନ ଭିନ୍ନ ଚ୍ୟାଲେଂଜ ରହିଥିବାରୁ ଲକ୍ଡାଉନ୍ ଗାଇଡଲାଇନ୍ ପରିବର୍ତନ କରିବାକୁ ରାଜ୍ୟଗୁଡିକୁ ସ୍ୱାଧୀନତା ମିଳୁ ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କଂଟେନ୍ମେଂଟ୍ ଜୋନକୁ ଛାଡି ରାଜଧାନୀର ଅନ୍ୟ ଅଂଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଉ । ତେବେ ରାଜସ୍ଥାନ ମୁ୍ଖ୍ୟମନ୍ତ୍ରୀଙ୍କ ଯୁକ୍ତି ହେଉଛି ରେଡ୍ ଜୋନ୍ରୁ ଗ୍ରୀନ ଜୋନ୍କୁ ଯିବା ଆସିବା ଉପରେ ସଂପୂର୍ଣ୍ଣ କଟକଣା ଲାଗୁ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଅପିଲ କରିଛନ୍ତି ବର୍ତମାନର କଂଟେନ୍ମେଂଟ୍ ନୀତିକୁ ତର୍ଜମା କରାଯାଇ ଭାଇରସ୍ ସହ ବଂଚିବାକୁ ଲୋକଙ୍କୁ ପ୍ରସ୍ତୁତ କରାଯାଉ । ନିରାପଦ ଅଂଚଳରେ ଅର୍ଥାତ ଯେଉଁ ଅଂଚଳରେ କେହି ଆକ୍ରାନ୍ତ ହୋଇନାହାନ୍ତି, ସେହସବୁ ସ୍ଥାନକୁ ମେଟ୍ରୋ ସେବା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଦାବି ହେଉଛି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଡ୍, ଅଂରେଜ୍, ଗ୍ରୀନ୍ ଜୋନ ନିର୍ଦ୍ଧାରଣ କରିବା ନିଷ୍ପତି ରାଜ୍ୟ ସରକାରଙ୍କ ହାତରେ ଛାଡି ଦିଆଯାଉ ।