ଲକ୍ଷ୍ମୀପୁର ହିଂସାକାଣ୍ଡ : ଟାର୍ଗେଟରେ ମୋଦୀ; କହିଲେ ଚାଷୀଙ୍କୁ ଗାଡି ଚଢାଇ ମାରିଦେଉଛନ୍ତି, ହେଲେ ଚୁପ୍ ବସିଛନ୍ତି ପ୍ରଧାନମନ୍ତ୍ରୀ

ମନ୍ତ୍ରୀଙ୍କ ପୁଅ ଉପରେ ହେଉନି କାର୍ଯ୍ୟାନୁଷ୍ଠାନ

169

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ କହିଛନ୍ତି, ଗତ କିଛି ଦିନ ହେବ କୃଷକଙ୍କ ଉପରେ ସରକାର ଆକ୍ରମଣ କରୁଛନ୍ତି । କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରାଯାଉଛି ।

ମନ୍ତ୍ରୀଙ୍କ ପୁଅ ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ରାହୁଲ ଗାନ୍ଧୀ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ ଥିଲେ । ହେଲେ ଲକ୍ଷ୍ମୀପୁର ଗଲେ ନାହିଁ । ଘଟଣା ନେଇ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଚୁପ୍ ବସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ମୀପୁର ଯିବା ପାଇଁ ଅନୁମତି ମିଳିନାହିଁ । ଆଜି ସେ ଲକ୍ଷ୍ମୀପୁର ଯିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ଷ୍ନୌ ଯିବେ, ଏହା ପରେ ଲକ୍ଷ୍ମୀପୁର ଯିବେ ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଲକ୍ଷ୍ମୀପୁରକୁ ଯାଉଥିବା ବେଳେ ତାଙ୍କ ଭଉଣୀକୁ ଗିରଫ କରାଯାଇଛି । ତାଙ୍କ ସହ ଖରାପ ବ୍ୟବହାର କରାଯାଇଛି । ମୁଁ ହୁଏ କି ପ୍ରିୟଙ୍କା ହ୍ରୁଅନ୍ତୁ ଅବା ଆମ ପରିବାରର ଆଉ କେହି ହୁଅନ୍ତୁ । ଆମକୁ ମାରି ଦିଅନ୍ତୁ, ବନ୍ଦୀ କରି ରଖନ୍ତୁ, ପୋତି ଦିଅନ୍ତୁ, ଖରାପ ବ୍ୟବହାର କରନ୍ତୁ । ଆମକୁ ସେଥିରେ ଟିକିଏ ବି ଫରକ ପଡିବନି । କାରଣ ଆମ ପରିବାର ଆମକୁ ଏଭଳି ଶିକ୍ଷା ଦେଇଛି । ମାମଲା ଏବେ ଚାଷୀଙ୍କ ନ୍ୟାୟର, ତେଣୁ ଏହାକୁ ନେଇ ଲଗାତାର ସ୍ୱର ଉଠାଇବୁ । ପ୍ରିୟଙ୍କା ଗାନ୍ଧୀଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ରଖାଯାଇଛି ସତ କିନ୍ତୁ ଏଠାରେ ବଡ ମୁଦ୍ଦା ହେଉଛି ଚାଷୀଙ୍କୁ ନ୍ୟାୟ ଦେବାର ।