କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି? ସେ ଦାଖଲ କରିଥିବା ଡିଗ୍ରୀ ସାର୍ଟିଫିକେଟ ଅସଲି କି ନକଲି ସେ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତର ସାର୍ଟିଫିକେଟ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ ବା ସିଆଇସିଙ୍କ ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟ ଖାରଜ କରିବା ପରେ ପୁଣି ଥରେ ଆରମ୍ଭ ହୋଇଛି ନୂଆ ବିବାଦ । ଦେଶର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଦେଶବାସୀ ଜାଣିବା ଅଧିକାର ରହିଛି ବୋଲି କେଜ୍ରିୱାଲ ଦାବି କରିଛନ୍ତି । କେଜ୍ରିୱାଲଙ୍କ ଦାବି ପରେ ବିଜେପି ଓ ଆମ ଆଦମି ପାର୍ଟି ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ..

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି, ତାଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ଏହାକୁ ନେଇ ପୁଣି ଥରେ ମୁଣ୍ଡ ଟେକିଛି ବିବାଦ । ଅରବିନ୍ଦ କେଜ୍ରିୱାଲଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଏ ଓ ଏମଏର ସାର୍ଟିଫିକେଟ ଦେଖାଇ ପ୍ରଶ୍ନ ଉଠାଇଛନ୍ତି, ଆମ ଆଦମି ପାର୍ଟି ସାଂସଦ । ବିଜେପି ପକ୍ଷରୁ ଦିଆଯାଇଥିବା ସାର୍ଟିଫିକେଟ ଲେଖାରେ ଥିବା ତ୍ରୁଟିକୁ ଦେଖାଇ, ଏହା ଅସଲି କି ନକଲି ବୋଲି ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ପରେ, ୨୦୧୬ରେ ତକ୍ରାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ତକ୍ରାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ମୋଦୀଙ୍କ ବିଏ ଓ ଏମଏର ସାର୍ଟିଫିକେଟ ଦେଖାଇଥିଲେ । ଆଉ ସ୍ପଷ୍ଟ କରିଥିଲେ, ମୋଦୀ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରି ଓ ୧୯୮୩ରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରି ହାସଲ କରିଥିଲେ ।

ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିଜେପି ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲେ ବି ମାମଲା ଥମି ନଥିଲା । ଏହା ଭିତରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆରଟିଆଇ ମାଧ୍ୟମରେ ସାର୍ଟିଫିକେଟର କପି ମାଗିଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାର୍ଟିଫିକେଟ କପି ଦେବାକୁ ମନା କରିବା ପରେ ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ଆବେଦନ କରିଥିଲେ କେଜ୍ରିୱାଲ । ଆଉ ତା’ପରେ ସାର୍ଟିଫିକେଟର ନକଲ ଦେବାକୁ ସିଆଇସି ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସିଆଇସିଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ମାମଲାର ଶୁଣାଣି କରି ହାଇକୋର୍ଟ ସିଆଇସିଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବା ସହ କେଜ୍ରିୱାଲଙ୍କୁ ଭର୍ତ୍ସନା କରିବା ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି ।
ଜଷ୍ଟିସ ବୀରେନ ବୈଷ୍ଣବ କହିଛନ୍ତି, ପିଏମଓଙ୍କୁ ମୋଦୀଙ୍କ ସାର୍ଟିଫିକେଟ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ୱେବସାଇଟରେ ଉପଲବ୍ଧ ଅଛି । କେଜ୍ରିୱାଲ ଆରଟିଆଇ ଆଇନକୁ ଉପହାସ କରିଛନ୍ତି ଏବଂ ଏହା ପଛରେ ତାଙ୍କର ମନ୍ଦ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରତିଫଳିତ ହେଉଛି । ନିର୍ବାଚନରେ ଲଢ଼ିବା ପାଇଁ କୌଣସି ବାଧ୍ୟତାମୂଳକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ସେମାନଙ୍କ ଅଭିଜ୍ଞତା ଓ ବାସ୍ତବ ଜ୍ଞାନ ଗୁରୁତ୍ୱପୂର୍ଣ୍ଣ ।

ହାଇକୋର୍ଟଙ୍କ ଭର୍ତ୍ସନା ପରେ କେଜ୍ରିୱାଲ ପୁଣି ସମାନ ଦାବି ଦୋହରାଇଛନ୍ତି । ବିଜେପି କହିଛି, କେଜ୍ରିୱାଲ ଏମିତି କରି ନିଜର ହତାଶାଭାବ ଜାହିର କରୁଛନ୍ତି । ଏସବୁ ଭିତରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଛି ଦେଶର ପ୍ରଧାନମନ୍ତ୍ରୀ ପାଠ ପଢ଼ିଥିବା ଉଚିତ୍ କି ନୁହେଁ ଲେଖା ଯାଇଥିବା ପୋଷ୍ଟର । ପୋଷ୍ଟର କିଏ ମାରିଛି, କାହିଁକି ମାରିଛି ଜଣାପଡିନଥିଲେ ବି, ମୋଦୀଙ୍କ ସାର୍ଟିଫିକେଟକୁ ନେଇ ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି ।