ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାବେଳେ ଚିନ୍ତାପ୍ରକଟ କଲେ ପ୍ରଧାନମନ୍ତ୍ରୀ । ଦେଶରେ ନଷ୍ଟ ହେଲାଣି ୪୯ ଲକ୍ଷ କରୋନା ଟିକା !

663

କନକ ବ୍ୟୁରୋ : ସାରା ଦେଶରେ ଏବେ କରୋନା ଟିକାକରଣ ଚାଲିଥିବାବେଳେ ଟିକା ଅପଚୟକୁ ନେଇ ସରକାରଙ୍କ ଚିନ୍ତା ବଢିଯାଇଛି । ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଚିନ୍ତା ପ୍ରକଟ କରିବା ସହ ରାଜ୍ୟମାନଙ୍କୁ ସତର୍କ କରାଇଦେଇଛନ୍ତି । ମୋଦୀ କହିଛନ୍ତି ଯେ ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ହେଉଛି ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟସେବା ଅଧିକାରକୁ ଚୋରାଇନେବା ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ମୋଟ ୭ କୋଟି ୫୪ ଲକ୍ଷ କରୋନା ଟିକା ଦିଆଯାଇଛି । ଯଦି ଏହାର ୬.୫ ପ୍ରତିଶତ ହିସାବ କରାଯାଏ ତେବେ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୯ ଲକ୍ଷ ଟିକା ଅପଚୟ ହୋଇଛି ବୋଲି କୁହାଯାଇପାରିବ ।

ସାରା ଦେଶରେ ଏବେ ଯେତିକି ଟିକା ମହଜୁଦ ରହିଛି ତାହାର ୬.୫ ପ୍ରତିଶତ ନଷ୍ଟ ହେଉଛି । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହେଉଛି । ତେଲେଙ୍ଗାନାରେ ୧୭.୬ ପ୍ରତିଶତ ଓ ଆନ୍ଧ୍ରରେ ୧୧.୬ ପ୍ରତିଶତ ଟିକା ନଷ୍ଟ ହେଉଛି । ସେହିପରି ଉତ୍ତରପ୍ରଦେଶରେ ୯.୪ ପ୍ରତିଶତ ଟିକା ନଷ୍ଟ ହେଉଛି । ଟିକା ଯେପରି ନଷ୍ଟ ନହୁଏ ସେ ଦିଗରେ ଯତ୍ନବାନ ହେବାକୁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ସତର୍କ କରାଇଦିଆଯାଇଛି ।