କନକ ବ୍ୟୁରୋ : ୭ ଅକ୍ଟୋବର ୨୦୦୧ । ଆଜିକୁ ଠିକ୍ ୨୦ ବର୍ଷ ତଳେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ଆଉ ଏହିଠାରୁ ମୋଦିଙ୍କ ରାଜନୈତିକ କ୍ୟାରିୟରର ପୁନାଦି ପଡିଥିଲା । ସେତେବେଳେ ନା ମୋଦୀଙ୍କୁ ନା କେହି ସେଭଳି ଜାଣିଥିଲେ ନା ମୋଦୀଙ୍କୁ ନେଇ ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ୨୦ ବର୍ଷ ଭିତରେ ଅନେକ କିଛି ବଦଳିଛି ଏବଂ ରାଜନୀତିରେ ମୋଦୀ ନୂଆ ଶିଖରରେ ପହଞ୍ଚିଛନ୍ତି । ଜାତୀୟସ୍ତରର ସବୁଠୁ ପ୍ରଭାବଶାଳୀ ନେତା ଭାବେ ପରିଚିତ ହୋଇଛନ୍ତି ମୋଦୀ । କାରଣ ୨୦ ବର୍ଷ ପୂର୍ବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମୋଦୀ ଏବେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜନପ୍ରିୟ ନେତା ଭାବେ ଏବେ ଭାରତ ରାଜନୀତିରେ ଗୋଟିଏ ପରେ ଗୋଟିଏ ନୂଆ ଇତିହାସ ଲେଖିଚାଲିଛନ୍ତି ମୋଦୀ । ଏହାଭିତରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ୭ ବର୍ଷ ପୂରଣ କରି ସାରିଲେଣି । ଆଉ ଏହି ସମୟ ଭିତରେ ମୋଦୀ ଏମିତି ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ତାଙ୍କୁ ବେଶ ଲୋକପ୍ରିୟ କରିଛି । ଏବେ ମୋଦୀଙ୍କ ରାଜନୈତିକ କ୍ୟାରିୟରକୁ ୨୦ ବର୍ଷ ପୁରିଛି । ଏହି ସମୟ ମଧ୍ୟରେ ଅନେକ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି କିନ୍ତୁ ସବୁ ଚ୍ୟାଲେଞ୍ଜକୁ ପରାହତ କରି ମୋଦି ଆଜି ଦେଶର ନେତା ନମ୍ବର ୱାନ୍ ସାଜିଛନ୍ତି ।
ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦ ବର୍ଷ ପୂରଣ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ମୋଦୀଙ୍କ ଅତି ଘନିଷ୍ଠ ଅମିତ ଶାହା କହିଛନ୍ତି, ଆଜିକୁ ୨୦ ବର୍ଷ ତଳେ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ସେବେଠାରୁ ଆରମ୍ଭ ହୋଇଥିବା ବିକାଶମୂଳକ ଓ ସୁଶାସନର ଯାତ୍ରା ଏବେ ପର୍ଯ୍ୟନ୍ତ ଜାରି ରହିଛି । ଏହି ୨୦ ବର୍ଷ ମଧ୍ୟରେ ଜନତା ଓ ଦେଶର ଉନ୍ନତି ପାଇଁ ଦିନ ରାତି ଏକ କରି ଦେଇଛନ୍ତି ମୋଦି । ଏପରିକି ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ମୋଦୀ ।
आज से 20वर्ष पूर्व श्री @narendramodi जी ने गुजरात के मुख्यमंत्री के रूप में शपथ ली और वहाँ से शुरू हुई विकास व सुशासन की यात्रा आज तक अविरल जारी है। इन 20वर्षों में मोदी जी ने जनता व देश की उन्नति के लिए दिन रात एक कर परिश्रम की पराकाष्ठा को चरितार्थ किया। #20yearsofSevaSamarpan pic.twitter.com/3xznSsBL2A
— Amit Shah (@AmitShah) October 7, 2021
ସେହିଭଳି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜନୀତିରେ ପ୍ରଧାନମନ୍ତ୍ରୀ ମୋଦୀ ୨୦ ବର୍ଷ ପୂରଣ କରିଥିବାରୁ ଶୁଭକାମନା ଜଣାଇଛନ୍ତି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗତ ୨୦ ବର୍ଷ ଧରି ଜନକଲ୍ୟାଣ ପ୍ରତି ସମର୍ପିତ ରହିବା ସହ ନିଷ୍କଳଙ୍କ ରହିଥିବା ନେତା ହେଉଛନ୍ତି ମୋଦୀ । ଲଗାତାର ମୋଦୀଙ୍କ ଲୋକପ୍ରିୟତା ବଢିଚାଲିଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହୁ ବୋଲି କହିଛନ୍ତି ରାଜନାଥ ।