କାହିଁକି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ନକରିବା ପାଇଁ ଦେଉଛନ୍ତି ପରାମର୍ଶ? କଣ ହୋଇପାରେ ଏହା ପଛର କାରଣ?

475

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଲକଡାଉନକୁ ଶେଷ ବିକଳ୍ପ ବାଛିବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ଗୁଡିକରେ କରୋନା କଟକଣା କଡାକଡି କରାଯାଉ କିନ୍ତୁ ଲକଡାଉନକୁ ଶେଷ ବିକଳ୍ପ ଭାବେ ରଖାଯାଉ ବୋଲି ସେ କହିଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି କି, ମହାମାରି ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଲକଡାନ୍ ନକରିବା ପାଇଁ ଚାହୁଁଛନ୍ତି । 

କୁହାଯାଉଛି କି ଗତବର୍ଷ ଦେଶରେ ଲକଡାଉନ୍ ଲଗାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧୀଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । କେବଳ ଏତିକି ନୁହେଁ ଲକଡାଉନ୍ ସମୟରେ ଅନେକ ଲୋକଙ୍କ ଚାକିରି ଚାଲିଯାଇଥିଲା । ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଭାରତୀୟ ଅର୍ଥ ବ୍ୟବସ୍ଥା ଏକପ୍ରକାର ଭୁଷୁଡି ପଡିଥିଲା । ବୋଧହୁଏ କେବଳ ଏଥିପାଇଁ ଗତକାଲି ମୋଦି ତାଙ୍କର ୧୯ ମିନିଟ୍ ଭାଷଣରେ ମାତ୍ର ୪ଥର ଲକଡାଉନ୍ ଶବ୍ଦ ମୁହଁରେ ଧରିଥିଲେ । କିନ୍ତୁ ରାଜ୍ୟମାନଙ୍କୁ ଲକଡାଉନ୍ ନକରିବା ପାଇଁ ପରାମର୍ଶ ଦେଇଥିଲେ । କେବଳଯେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍ ନକରିବା ପାଇଁ ଚାହୁଁଛନ୍ତି ତା ନୁହେଁ । ଦେଶରେ ଯେଉଁ ରାଜ୍ୟଗୁଡିକରେ ବିଜେପି ସରକାର ଶାସନ କରୁଛନ୍ତି, ସେହି ସମସ୍ତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଲକଡାଉନକୁ ବାରଣ କରୁଛନ୍ତି ।