ସୀମାରେ ମୋଦି ପାଳିଲେ ଦୀପାବଳି : ଗୁରେଜ ସେକ୍ଟରରେ ସେନାର ପୋଷାକରେ ରହି ବଢାଇଲେ ଯବାନଙ୍କ ମନୋବଳ

33

କନକ ବ୍ୟୁରୋ : ଯେଉଁ ସୀମାରେ ପାକ୍ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରି ଗୁଳିଗୋଳା ବର୍ଷଣ କରିଥାଏ, ଆଜି ସେହି ଇଲାକାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ସେନା ପୋଷାକରେ ସେନାବାହିନୀ ସହ ଦୀପାବଳିର ଖୁସି ବାଂଟିଛନ୍ତି ନରେନ୍ଦ୍ର ମୋଦି । ସୀମାରେ ପଇଁତରା ଦେଉଥିବା ସୈନିକଙ୍କ ତ୍ୟାଗର ଭୁରିଭୁରି ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି ମୋଦି ।

ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର । ଏହା ହେଉଛି ପାକ୍ ଅଧିକୃତ କାଶ୍ମୀର ସୀମାନ୍ତ । ବର୍ଷ ତମାମ ଏଇଠି ଶୁଭୁଥାଏ ଗ୍ରେନେଡ୍ , ମୋଟାର ଓ ହେଭି ମେସିନ ଗନର ଗର୍ଜନ । ତେବେ ଆଜି ଏହି ଅଂଚଳରେ ଦୀପାବଳିର ଖୁସି ବାରି ହୋଇପଡିଛି । କାରଣ ଥିଲା ବର୍ଷସାରା ସୀମାରେ ପହରା ଦେଉଥିବା ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନା ପୋଷାକରେ ସୀମାରେ ଆଜି ଦେଖିବାକୁ ମିଳିଥିଲା ମୋଦିଙ୍କୁ । ସେନା ଓ ବିଏସଏଫ ଯବାନଙ୍କୁ ନିଜ ପରିବାର ସଦସ୍ୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଯବାନଙ୍କ ସହ ସମୟ ବିତାଇବା ପରେ ନୂଆ ଉତ୍ସାହ ସୃଷ୍ଟି ହୋଇଥାଏ ।

ସୀମା ଆରପଟୁ ଭାରତକୁ ବାରମ୍ବାର ଆହ୍ୱାନ । ଗୋଟିଏ ପଟେ ପାକିସ୍ତାନର ଛାୟାଯୁଦ୍ଧ ଏବଂ ଅନ୍ୟପଟେ ଦେଶର ସାର୍ବଭୋମ୍ୟ ପ୍ରତି ଚୀନର ନାଲିଆଖି । ଏହାରି ଭିତରେ ସେନାର ମନବଳ ବୃଦ୍ଧି ପାଇଁ ସୀମାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ବେଶ ଉତ୍ସାହ ଭରି ଦେଇଥିଲା ଯବାନଙ୍କ ମନରେ । ଯବାନମାନେ ନିୟମିତ ଯୋଗାଭ୍ୟାସ କରୁଥିବା ଜାଣି ମୋଦି ଖୁସି ହେବା ସହ କହିଥିଲେ, ସେନାରୁ ଅବସର ନେବା ପରେ ସେମାନେ ଜଣେ ଜଣେ ଦକ୍ଷ ଯୋଗ ଶିକ୍ଷକ ହୋଇପାରିବେ ।

ଯବାନଙ୍କ ତ୍ୟାଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିିଛନ୍ତି, ନିଜ ପ୍ରିୟଜନଙ୍କଠାରୁ ଦୂରରେ ରହିବା ମହାନ ତ୍ୟାଗର ପରମ୍ପରା । ମୋଦିଙ୍କ ସହ ସେନାମୁଖ୍ୟ ଜେନେରାଲ ବିପିନ ରାୱତ, ଉତ୍ତରକମାଣ୍ଡ ମୁଖ୍ୟ ଲେପ୍ଟନାଂଟ ଜେନେରାଲ ଦେବରାଜ ଅନବୁ ଓ ଲେପ୍ଟନାଂଟ ଜେନେରାଲ ଜେଏସ ସାନ୍ଧୁ ମଧ୍ୟ ଗୁରେଜ ସେକ୍ଟରରେ ଉପସ୍ଥିତ ଥିଲେ । ଲଗାତାର ଚତୁର୍ଥ ବର୍ଷ ଯବାନଙ୍କ ସହ ଦୀପାବଳିର ଖୁସି ମୁହୂର୍ତ ବାଂଟିଛନ୍ତି ମୋଦି ।