ମୋଦୀଙ୍କ ସମ୍ଭାବ୍ୟ କ୍ୟାବିନେଟ୍ : ଓବିସି ୨୭, ଏସସି ୧୨, ଏସଟି ୮, ୫ ଜଣ ସଂଖ୍ୟାଲଘୁଙ୍କୁ ମିଳିପାରେ ସ୍ଥାନ

168

କନକ ବ୍ୟୁରୋ :  କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ହେବାକୁ ଯାଉଥିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ନେତାମାନେ ପହଂଚିବାରେ ଲାଗିଛନ୍ତି । ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମୀନାକ୍ଷୀ ଲେକ୍ଷୀ, ସର୍ବାନନ୍ଦ ସୋନାୱଲ, ପଶୁପତି ପାରସ, ପ୍ରିତମ ମୁଣ୍ଡେ, ହିନା ଗାଭିତ, ଭୁପେନ୍ଦ୍ର ଯାଦବଙ୍କ ପରି ନେତା ଅଛନ୍ତି । ଆଜି ସଂଧ୍ୟା ୬ଟା ମୋଦୀଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ତେବେ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ସମ୍ଭାବନା ରହିଛି । ସେହିପରି ମନ୍ତ୍ରିମଣ୍ଡଳରେ ୧୧ଜଣ ମହିଳା ସାମିଲ ହୋଇପାରନ୍ତି । ୭ଜଣ ପ୍ରଶାସନିକଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ୧୩ ଓକିଲ, ୬ ଡାକ୍ତର, ୫ଜଣ ଇଞ୍ଜିନିୟରଙ୍କୁ ମିଳିପାରେ ସୁଯୋଗ । ବିଭିନ୍ନ ରାଜ୍ୟର ୧୮ ପୂର୍ବତନ ମନ୍ତ୍ରୀଙ୍କୁ ମିଳିପାରେ ସୁଯୋଗ । ଓବିସି ୨୭, ଏସସି ୧୨, ଏସଟି ୮, ୫ ଜଣ ସଂଖ୍ୟାଲଘୁଙ୍କୁ ମିଳିପାରେ ସ୍ଥାନ ।

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୮୧ ଜଣ ମନ୍ତ୍ରୀ ରହିପାରିବେ, ଏବେ ଅଛନ୍ତି ୬୦ ଜଣ । ବର୍ତ୍ତମାନ ୯ ଜଣ କେନ୍ଦ୍ର ମନ୍ତ୍ରୀ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି, ତେଣୁ ମନ୍ତ୍ରିମଣ୍ଡଳରୁ ପୁରୁଣା ଚେହେରା ବାଦ ପଡ଼ିବାର ସମ୍ଭାବନା କମ୍ । ଏଥର ମୋଦୀଙ୍କ ନୂଆ ଟିମ୍ରେ ଅଧିକ ମହିଳା ଓ ପେସାଦାର ବା ପ୍ରୋଫେସନାଲ ସ୍ଥାନ ପାଇପାରନ୍ତି । ଏହି କ୍ୟାବିନେଟ ସଂପ୍ରସାରଣରେ ବିଜେପିର ସହଯୋଗୀ ଦଳମାନେ ଅଧିକ ପ୍ରତିନିଧିତ୍ୱ ପାଇପାରନ୍ତି । ଜେଡିୟୁ, ଏଲଜେପି, ଅପନା ଦଲ୍, ସର୍ବ ଭାରତୀୟ ଝାଡଖଣ୍ଡ ଛାତ୍ର ସଂଘ ପରିି ଦଳରୁ ଆସିପାରନ୍ତି ନୂଆ ଚେହେରା ।

ଜାତି ଓ ଆଂଚଳିକ ସମନ୍ୱୟ ରକ୍ଷା ପାଇଁ ଯୁବ ନେତାଙ୍କୁ ଏଥର ଅଧିକ ଗୁରୁତ୍ୱ ଦେଇପାରନ୍ତି ମୋଦୀ ସରକାର । ଏହାସହ ଏଥର ଏକ ନୂଆ ମନ୍ତ୍ରାଳୟ ‘ମିନଷ୍ଟ୍ରି ଅଫ କୋ-ଅପରେସନ’ ବା ସମବାୟ ମନ୍ତ୍ରାଳୟ ଖୋଲାଯାଇପାରେ, ଦେଶରେ ସମବାୟ ଆନ୍ଦୋଳନକୁ ଆଗକୁ ନେବା ପାଇଁ ଏହି ମନ୍ତ୍ରାଳୟ କାମ କରିବ ବୋଲି ଚର୍ଚ୍ଚା ହେଉଛି ।