କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ ଆଜି ଦିଲ୍ଲୀରେ ଧାରଣା ଦେଇଛନ୍ତି । ଅଲ ଇଣ୍ଡିଆ ଫେୟାର ପ୍ରାଇସ ଶପ୍ ଡିଲର୍ସ ଫେଡେରେସନର ଉପାଧ୍ୟକ୍ଷ ଥିବା ପ୍ରହ୍ଳାଦ ମୋଦୀ ଆଜି ଦିଲ୍ଲୀର ଜନ୍ତର-ମନ୍ତ୍ରର ଠାରେ ସଂଗଠନ ସହ ଧାରଣା ଦେଇଛନ୍ତି । ସଂଗଠନର ଦାବିକୁ ନେଇ ପ୍ରହ୍ଲାଦ ମୋଦୀ ଓ ସଂଗଠନର ଅନ୍ୟ ସଦସ୍ୟମାନେ ଜନ୍ତର-ମନ୍ତର ଠାରେ ଧାରଣା ଦେବା ସହ ନାରାବାଜୀ କରିଛନ୍ତି । ଏହି କ୍ରମରେ ସେ କହିଛନ୍ତି କି, ଏଆଇଏଫପିଏସଡିଏଫର ପ୍ରତିନିଧି ମଣ୍ଡଳ ଖୁବଶୀଘ୍ର ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ । ସେ ଆହୁରି କହିଛନ୍ତି କି, ସଂଗଠନ ଦ୍ୱାରା ସ୍ଥିର କରାଯାଇଥିବା ଦାବିକୁ ନେଇ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯିବ ।

Advertisment

ସୂଚନା ମୁତାବକ ଏଆଇଏଫପିଏସଡିଏଫର ୯ଟି ଦାବି ରହିଛି । ସେଥିମଧ୍ୟରୁ ମୁଖ୍ୟ ଦାବି ହେଉଛି ଉଚିତ ମୂଲ୍ୟରେ ଦୋକାନରେ ବିକ୍ରି ହେଉଥିବା ଚାଉଳ ଗହମ ଏବଂ ଚିନି ଉପରେ ହେଉଥିବା କ୍ଷତି ଉପରେ ସରକାର କ୍ଷତିପୂରଣ ଦେବା ସହ ଏଥିରେ ଖାଇବା ତେଲ ଓ ଡାଲିକୁ ଅନ୍ତର୍ଭୁକ୍ତ କରାଯାଉ । ଏହା ବ୍ୟତୀତ ସମଗ୍ର ଦେଶରେ ମାଗଣା ରାସନ ବଣ୍ଟନ କ୍ଷେତ୍ରରେ ପଶ୍ଚିମବଙ୍ଗ ମଡେଲ ଲାଗୁ କରିବାକୁ ଦାବି କରିଛନ୍ତି । ଏନେଇ ବୁଧବାର ଦିନ ସଂଗଠନ ପକ୍ଷରୁ ଜାତୀୟ କାର୍ଯ୍ୟନିର୍ବାହୀଙ୍କର ଏକ ବୈଠକ କରାଯିବ ବୋଲି ପ୍ରହ୍ଲାଦ ମୋଦୀ ସୂଚନା ଦେଇଛନ୍ତି ।