ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଲାଲ ଡାଏରୀକୁ ନେଇ କଲେ ଟାର୍ଗେଟ୍, ଗେହଲଟ କହିଲେ ମହଙ୍ଗା ହେଉଛି ଲାଲ୍ ଟମାଟୋ

144

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜସ୍ଥାନର ସିକରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଗେହଲଟ ସରକାର ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଛନ୍ତି ଯେ, ଲାଲ ଡାଏରୀରେ କଂଗ୍ରେସର କଳାକାରନାମା ରହିଛି । ସେ କହିଛନ୍ତି ଯେ ଲାଲ ଡାଏରୀ କଂଗ୍ରେସର ଡବ୍ୱା ଗୋଲ କରିବାରୁ ଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ କେବଳ ଲୁଟର ଦୋକାନ ଚଳାଇଛି । ଲାଲ ଡାଏରୀର ପୃଷ୍ଠା ଖୋଲିବା ଦ୍ୱାରା ଅନେକ ବଡ ବଡ କଥା ସାମ୍ନାକୁ ଆସିଯିବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏହାର ଜବାବ ମଧ୍ୟ ରଖିଛନ୍ତି ।

ଗେହଲଟ କହିଛନ୍ତି, ସେ ଲାଲ ଡାଏରୀ କଥା କହୁଛନ୍ତି ଏଠି ଲାଲ ଟମାଟୋ ମହଙ୍ଗା ହୋଇ କିଲୋ ୨ ଶହ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ରାଜସ୍ଥାନରେ ପ୍ରତ୍ୟେକ ଦିନ ଗ୍ୟାଙ୍ଗୱାର ଖବର ସାମ୍ନାକୁ ଆସୁଛି । ଆଇନ ଶୃଙ୍ଖଳାକୁ ଠିକ୍ ରଖିବା ରାଜ୍ୟ ସରକାରଙ୍କ କାମ । ଏଠାରେ କେହି ଜାଣିନାହାନ୍ତି ଯେ କାହା ଉପରେ କେତେବେଳେ ଗୁଳି ଚାଲିବ ଆଉ କେତେବେଳେ କର୍ଫ୍ୟୁ ଲାଗିବ । ଏଠି ମାଆଉଭଣୀଙ୍କ ସମ୍ମାନ ସହ ଖେଳ ହେଉଛି । ସେ ଏହା ମଧ୍ୟ କହିଥିଲେ ଯେ ଭାରତକୁ ଲୁଟିବା ପାଇଁ ବିରୋଧୀ ଏହାର ନାଁ ଇଣ୍ଡିଆ ରଖିଛନ୍ତି । ୟୁପିଏ ସରକାରର କାରାନାମ ଲୁଚାଇବା ପାଇଁ ଏହି ନାମକୁ ପରିବର୍ତ୍ତନ କରାଯାଇଛି ।