କନକ ବ୍ୟୁରୋ : ନିର୍ବାଚନ ୱାର ରୁମରେ ମୋଦୀଙ୍କ ସମୀକ୍ଷା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ନିର୍ବାଚନ ପରିଚାଳନା ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧ ଘଂଟାଏ ଧରି ମୋଦୀ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ ୱାର ରୁମ୍, ପ୍ରଚାର ଏବଂ ବୁଥ ମ୍ୟାନେଜମେଂଟର ମଧ୍ୟ ସମୀକ୍ଷା କରିଛନ୍ତି । ନିର୍ବାଚନରେ ଦଳର କେଉଁ ନେତା କେଉଁ ଦାୟିତ୍ୱରେ ଅଛନ୍ତି ପଚାରି ବୁଝିଛନ୍ତି ମୋଦୀ ।
ଯେଉଁମାନେ ଟିକେଟ ନପାଇ ଦଳୀୟ କାର୍ଯ୍ୟରେ ଅଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ଦଳୀୟ କାର୍ଯ୍ୟରେ ଥିବା ନେତା ଓ କର୍ମୀ କେତେବେଳେ ଖାଇବା ପିଇବା କରୁଛନ୍ତି ସେ ବାବଦରେ ଆଲୋଚନା କରିଛନ୍ତି । ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପ ସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । ଅନ୍ତିମ ଥର ପାଇଁ ୧୯୮୬ରେ ମୋଦୀ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆସିଥିଲେ ବୋଲି କହିଛନ୍ତି ମୋଦୀ । ସେହି ସମୟର କଥା ମନେ ପକାଇ ଭାବ ବିହୋଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।
ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ଆଜି ରାଜଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ସକାଳୁ ପୁରୀ ଅଭିମୁଖେ ବାହାରିବେ ନରେନ୍ଦ୍ର ମୋଦୀ । ଶ୍ରୀମନ୍ଦିର ଯାଇ ଦର୍ଶନ କରିବା ପରେ ସକାଳ ୮ଟାରେ ବିଶାଳ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
Follow Us