କରୋନା ଯୁଦ୍ଧରେ ଜିତିବ ଭାରତ…ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ: ସାମୁହିକ ଶକ୍ତିର ପରିପ୍ରକାଶରେ ହିଁ ହାରିବ କରୋନା, ଜିତିବ ଭାରତ

1,074

କନକ ବ୍ୟୁରୋ: କରୋନାକୁ ହରାଇବାକୁ ପଡିବ, ଭାରତକୁ ଜିତେଇବାକୁ ପଡିବ । କରୋନା ସହିତ ଚାଲିଥିବା ଏହି ଲଢେଇରେ ଯଦି କିଛି ଦରକାର ଅଛି ତାହା ହେଉଛି ସାମୁହିକ ଶକ୍ତି । ସାମୁହିକ ଶକ୍ତିର ପରିପ୍ରକାଶରେ ହିଁ ଭାରତୀୟଙ୍କ ବିଜୟ ହେବ । ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସାମୁହିକ ଶକ୍ତିର ପରିପ୍ରକାଶ ପାଇଁ ମୋଦି ଦେଶବାସୀଙ୍କ ଠାରୁ ୯ମିନିଟର ସମୟ ମାଗିଛନ୍ତି । ଏପ୍ରିଲ ୫ ତାରିଖ ରବିବାର ରାତି ୯ଟା ସମୟରେ ଲୋକମାନେ ଘରର ସମସ୍ତ ଲାଇଟ ବନ୍ଦ କରି ଅର୍ଥାତ ଘରକୁ ଅନ୍ଧାର କରି ବାହାରକୁ ଆସିବେ କିମ୍ବା ବାଲକୋନିକୁ ଆସିବେ । ଏହାସହ ସେଠାରେ ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ଜାଳି ସାମୁହିକ ଶକ୍ତିର ବାର୍ତ୍ତା ଦେବାକୁ କହିଛନ୍ତି ମୋଦି ।

ତେବେ ସୋସିଆଲ ଡିଷ୍ଟାଂସ ବା ସାମାଜିକ ଦୁରତ୍ୱକୁ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି ମୋଦି । ରାସ୍ତାରେ ଏକାଠି ନହେବା ପାଇଁ କହିଛନ୍ତି । ମୋଦି କହିଛନ୍ତି, ଲୋକମାନେ ତାଲା ବନ୍ଦ ସମୟରେ ଘରେ ରହିଥିବା ବେଳେ ନିଜକୁ ଏକୁଟିଆ ଭାବନ୍ତୁ ନାହିଁ । ୧୩୦ କୋଟି ଲୋକଙ୍କ ଭାବାବେଗ ତାଙ୍କ ସହିତ ରହିଛି । ଆଉ ଏହି ସାମୁହିକ ଶକ୍ତିହିଁ କରୋନା ସହ ଲଢେଇରେ ଭାରତୀୟଙ୍କ ମନବଳ ବଢାଇବ । ମାର୍ଚ୍ଚ ୨୨-ଜନତା କର୍ଫ୍ୟୁ ଏବଂ ଥାଳି ବଜାଇବା ଘଟଣାକୁ ମନେପକାଇ ମୋଦି ତାଲା ବନ୍ଦ ସମୟରେ ଜନସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ମୋଦି କହିଛନ୍ତି କରୋନାକୁ ମୁକାବିଲା କରିବା ପାଇଁ ଭାରତ ଯାହା କରୁଛି , ବିଶ୍ୱର ଅନ୍ୟ ଦେଶମାନେ ଏହାକୁ ଅନୁକରଣ କରୁଛନ୍ତି । ତେଣୁ ଭାରତୀୟଙ୍କ ସାମୁହିକ ଶକ୍ତିର ପରିପ୍ରକାଶ ଦ୍ୱାରା ହିଁ ଏହି ଲଢେଇ ଜିତିହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି ।