କରୋନା ମୁକାବିଲା : ଅଯଥାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ ରଖିବାକୁ ମୋଦିଙ୍କୁ ପରାମର୍ଶ, ଯଥେଷ୍ଟ ଖାଦ୍ୟ ସାମଗ୍ରୀ ଥିବା ନେଇ କଲେ ଆଶ୍ୱସ୍ତ ।

414

କନକ ବ୍ୟୁରୋ : କରୋନା ହାରିବ, ଭାରତ ଜିତିବ, ମାନବଜାତିର ଜୟ ହେବ । ଆଉ ଏଥିପାଇଁ ଦେଶବାସୀଙ୍କୁ କିଛି ସପ୍ତାହ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ସଂକ୍ରମଣରୁ ନିଜେ ବଞ୍ଚିବା ସହ ଅନ୍ୟ ମାନଙ୍କୁ ବଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି । ସାମାଜିକ ଦୂରତ୍ୱ ବଜାୟ ରଖି କରୋନାକୁ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ମୋଦି । ଆଉ ଏଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି । ତେବେ ଏଥିପାଇଁ ତରତର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୋଦି । ଆମ ପାଖରେ ଯଥେଷ୍ଟ ଖାଦ୍ୟସାମଗ୍ରୀ ମହଜୁଦ ରହିଛି ବୋଲି ମୋଦି ଆଶ୍ୱସ୍ତ କରିଛନ୍ତି ।

ଦେଶରେ କ୍ଷୀର, ଖାଦ୍ୟସାମଗ୍ରୀ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାନଯାଉ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ତେଣୁ ବ୍ୟସ୍ତ ବିବତ୍ର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲାଇନ ନ ଲଗାଇବାକୁ ପରାମର୍ଶ ଦେଇଛନ୍ତି ମୋଦି । କରୋନାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡିଛି । ବିଭିନ୍ନ ଅଫିସ, କାର୍ଯ୍ୟାଳୟରେ କାମ ଏକ ପ୍ରକାର ଠପ ହୋଇଯାଇଛି । ଏଭଳି ସ୍ଥଳେ ବ୍ୟବସାୟିକ ଅନୁଷ୍ଠାନ ଓ ଉଚ୍ଚ ଆୟବର୍ଗର ଲୋକେ ଯେଉଁମାନଙ୍କ ଠାରୁ ସେବା ପାଉଛନ୍ତି ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୋଦି । ଯଦି କିଛି ଦିନ ହେବ କର୍ମଚାରୀ ମାନେ ଅଫିସ କିମ୍ବା ଘରକୁ କାମ କରିବାକୁ ଆସିନାହାନ୍ତି ତେବେ ମାନବିକତା ଦୃ୍ଷ୍ଟିରୁ ସେମାନଙ୍କର ଦରମା କାଟନ୍ତୁ ନାହିଁ । କାରଣ ସେମାନଙ୍କର ବି ପରିବାର ଅଛି । ସେମାନଙ୍କୁ ମଧ୍ୟ ନିଜ ପରିବାରର ଦାୟିତ୍ୱ ନେବାକୁ ପଡୁଥିବ । ତେଣୁ ସମ୍ବେଦନଶୀଳ ଭାବେ ନିଷ୍ପତି ନେବାକୁ ମୋଦି ଅନୁରୋଧ କରିଛନ୍ତି ।ବିଶ୍ୱଯୁଦ୍ଧ ସମୟରେ ବି ଏତିକି ଦେଶ ପ୍ରଭାବିତ ହୋଇନଥିଲେ ଯେତିକି କରୋନାରେ ପ୍ରଭାବିତ ହୋଇଛନ୍ତି । ତେଣୁ ମିଳିମିଶି କରୋନାର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।