ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ…

240

କନକ ବ୍ୟୁରୋ: ଆଉ ନାହାନ୍ତି ଭାରତର ବୀର ପୁଅ ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ବାୟୁସେନା । ତେବେ ଚପର ଦୁର୍ଘଟଣା ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକାଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ତେବେ ଭାରତର ବୀର ପୁଅ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଶୋକରେ ବୁଡିଛି ପୂରା ଦେଶ । ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଛନ୍ତି ବୀର ପୁଅକୁ ହରାଇଲା ଦେଶ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୋକ ପ୍ରକାଶ କରିବା ସହ କହିଛନ୍ତି, ଜେନେରାଲ ରାୱତ ଜଣେ ଅଦ୍ୱିତୀୟ ଯୋଦ୍ଧା ଥିଲେ । ଆମେ ଜଣେ ସଚ୍ଚା ଦେଶଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ । ସେନାର ଆଧୁନିକିକରଣରେ ବିପିନଙ୍କ ଭୂମିକା ଅତୁଳନୀୟ ।

ଜଣେ ବୀର ପୁଅର ଆକସ୍ମିକ ମୃତ୍ୟୁ ସେନା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରି କହିଛନ୍ତି ଏହା ଦେଶ ପାଇଁ ଏକ ଦୁଃଖଦ ଦିନ । ବିପିନଙ୍କ ସାହସିକତା ମନେ ରଖିବ ସାରା ଦେଶ ।

ଆଜି କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣା ପରେ ଦୋହଲିଯାଇଛି ଦେଶ । ହେଲିକପ୍ଟରରେ ଥିବା ଅନ୍ୟ ୧୧ ଜଣଙ୍କର ବି ମୃତ୍ୟୁ ହୋଇଛି । ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସିଡ଼ିଏସ ବିପିନ ରାୱତ୍ ଓ ତାଙ୍କ ପତ୍ନୀ ଓ କିଛି ସେନା ଅଧିକାରୀଙ୍କୁ ନେଇ ଯାଉଥିବା ବେଳେ ଖସିପଡ଼ି ଜଳିଯାଇଛି ସେନା ଚପର । କୋଏମ୍ବାଟୁରରୁ ସୁଲୁର ଭିତରେ ଏପରି ଦୁର୍ଘଟଣା ହୋଇଥିଲା ।