ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।

109

ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଆଜି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ । ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇବେ । ଏସମ୍ପର୍କରେ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଓ ଚାଷୀଙ୍କ ଚର୍ଚ୍ଚାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଅଂଚଳରେ ସାଂସଦ ଏବଂ ମନ୍ତ୍ରୀଙ୍କ ଦାୟୀତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ବିଜେପି ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ସମବେତ ହେବେ । ସୂଚନା ଅନୁସାରେ ଗୃହ ମନ୍ତ୍ରୀ ଅମିତ ଶାହା ମହରୋଲିରେ ଚାଷୀଙ୍କ ସହ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗତସିଂହପୁର, ପ୍ରକାଶ ଜାଭଡେକର ତାମିଲନାଡୁର ଚେଙ୍ଗଲପେଟ୍, ରବିଶଙ୍କର ପ୍ରସାଦ ବିହାରର ପାଟନାରେ ରହି ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଶୁଣିବେ । ।