ଭାରତ ଉପରେ ସଇତାନର ଆଖି । ମୋଦି, ଶାହା ଓ ଡୋଭାଲଙ୍କ ଉପରେ ହମଲା ଷଡଯନ୍ତ୍ର କରିଛି ଜୈଶ, ଜନଗହଳି ସ୍ଥାନରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ।

325

କନକ ବ୍ୟୁରୋ : ଭାରତ ଉପରେ ସଇତାନର ଆଖି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ଏନଏସଏ ଅଜିତ ଡୋଭାଲଙ୍କ ଉପରେ ଅଚାନକ ହମଲା ପାଇଁ ଷଡଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏହଛଡା ସେପ୍ଟେମ୍ବର ଶେଷ ସୁଦ୍ଧା କିମ୍ବା ପୂଜା ଭିଡରେ ଆତ୍ମଘାତୀ ହମଲା ପାଇଁ ମଧ୍ୟ ଜୈଶ ଯୋଜନା କରିଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମେଜରଙ୍କ ଦେଖରେଖରେ ଜୈଶର ଆତ୍ମଘାତୀ ସ୍କ୍ୱାର୍ଡ ଅଚାନକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଭାରତର ବଡ ଚେହେରାକୁ ଟାର୍ଗେଟ୍ କରି ଚାଂଚଲ୍ୟ ଖେଳାଇ ଦେବାକୁ ଯୋଜନା କରିଛି ଜୈଶ–ଏ-ମହମ୍ମଦ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଗୁଇନ୍ଦା ବିଭାଗର ସୂଚନା, ଭାରତର ଏହି ତିନି ହସ୍ତୀ ଏବେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦରେ ଟାର୍ଗେଟରେ ରହିଛନ୍ତି । ଜୈଶ ଆକ୍ରମଣ ପାଇଁ ଏକ ଆତ୍ମଘାତୀ ସ୍କ୍ୱାର୍ଡ ପ୍ରସ୍ତୁତ କରିଥିବା ଗୁଇନ୍ଦା ଖବର ମିଳିଛି । ଜୈଶ ଅପରେଟର ସମସେର ୱାନୀ ନିଜ ହ୍ୟାଣ୍ଡଲରକୁ ଦେଇଥିବା ଚିଠିରୁ ଏହି ଷଡଯନ୍ତ୍ରର ଖୁଲାସା ହେଇଛି ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରତିଶୋଧ ନେବାକୁ ଜୈଶ କରିଛି ଷଡଯନ୍ତ୍ର । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଏନଏସଏଙ୍କ ସମେତ ଦେଶର ୩୦ ସହର ଓ ୪ଟି ବ୍ୟସ୍ତ ବହୁଳ ବିମାନ ବନ୍ଦରରେ ଆକ୍ରମଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଥିବା ଗୁଇନ୍ଦା ସୂଚନା ମିଳିଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅଜିତ ଡୋଭାଲ ଓ ଅମିତ ଶାହାଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।

ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ପ୍ରତିଶୋଧ ନିଆଁରେ ଜଳୁଥିଲା ଜୈଶ-ଏ-ମହମ୍ମଦ । ସେହି ସମୟରେ ଅନ୍ତର୍ଜାତୀୟ ଚାପରେ ପଡି ଜୈଶ ମୁଖିଆ ମାସୁଦ ଆଝାରକୁ ଜେଲ ଭିତରେ ପୁରାଇଥିଲେ ଇମ୍ରାନ ସରକାର । ଏବେ ସ୍ଥିତି ବଦଳିଛି, ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅସହାୟ ଇମ୍ରାନ ଗୋପନରେ ମାସୁଦକୁ ଜେଲରୁ ଖଲାସ କରିଛନ୍ତି । ଆଉ ପାକିସ୍ତାନ ସରକାରଙ୍କ ସହାୟତାରେ କଶ୍ମୀର ଉପତ୍ୟକାରେ ରକ୍ତର ଖେଳ ଖେଳିବାକୁ ଜୈଶ ଏବେ ଗୋଟି ଚଳାଉଛି ।