କନକ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍ ନେଟ୍‌ୱାର୍କ ମିସନ୍‌ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ୍‌’ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ୟ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି।

Advertisment

‘ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମଙ୍କୁ ଭେଟିବା ପାଇଁ ଗ୍ରୀସ୍‌ରୁ ଆସି ଆଜି ସକାଳେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ପହଞ୍ଚିବା ପରେ ‘ଏଚ୍‌ଏଏଲ୍‌ ବିମାନ ବନ୍ଦର’ ବାହାର ରାସ୍ତାରେ ସ୍ଥାନୀୟ ଲୋକେ ଢୋଲ ବଜାଇ ନୃତ୍ୟ କରିବା ସହିତ ଜାତୀୟ ପତାକା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଥିବା ‘ବ୍ୟାନର୍‌’ ହଲାଇ ଥିଲେ। ଜନସାଧାରଣଙ୍କୁ ସମ୍ବୋଧନ କରିବା ବେଳେ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ।

‘ଇସ୍ରୋ’ ବୈଜ୍ଞାନିକମାନଙ୍କୁ ଭେଟିବେ ବୋଲି ପୂର୍ବରୁ ‘ଏକ୍ସ’ (ଟୁଇଟ୍‌) କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ: ବେଙ୍ଗାଲୁରୁରେ ଅବତରଣ କଲି। ଚନ୍ଦ୍ରଯାନ-୩କୁ ସଫଳ କରି ଭାରତକୁ ଗୌରବାନ୍ୱିତ କରିଥିବା ‘ଇସ୍ରୋ’ର ଅସାଧାରଣ ବୈଜ୍ଞାନିକମାନଙ୍କୁ ଭେଟିବାକୁ ଯିବି। ମହାକାଶ କ୍ଷେତ୍ରରେ ଆମ ଦେଶର କୃତିତ୍ୱର ସାମର୍ଥ୍ୟ ହେଉଛି ସେମାନଙ୍କର ପ୍ରତିବଦ୍ଧତା ଓ ଅଦମ୍ୟ ଆଗ୍ରହ।

‘ଟେଲିମେଟ୍ରି ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ ନେଟ୍‌ୱାର୍କ ମିସନ୍‌ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ୍‌’ରେ ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ରୋଭର୍‌ ପ୍ରଜ୍ଞାନ’ ଓ ‘ଲାଣ୍ଡର୍‌ ବିକ୍ରମ’ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି। ଏଥିସହିତ ସେ ‘ବିକ୍ରମ’ର ଏକ ପ୍ରତିରୂପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଛନ୍ତି