ପାଠ ପାଇଁ ନୂଆ ନୀତି । ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ, ଖେଳରେ ଖେଳରେ ପିଲା ପଢ଼ିବେ ପାଠ ।

424

କନକ ବ୍ୟୁରୋ : ନୂଆ ଶିକ୍ଷାନୀତିକୁ ପୂରିଲା ବର୍ଷେ । ଆଉ ଏହି ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଶିକ୍ଷା ନୀତିରେ ନୂଆ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ଅବସରରେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ଶୁଭାରମ୍ଭ କରାଯାଇଛି । ଏହା ଫଳରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ଓ ବିଷୟ ପରିବର୍ତନ ସହଜ ହୋଇପାରିବ । ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩ ମାସିଆ ନାଟକ ଜରିଆରେ ଶିକ୍ଷା ସଂପର୍କିତ ଏକ ମଡେଲ ସ୍କୁଲସ୍ତରରେ ପ୍ରସ୍ତୁତ ହେବ । ଏହାର ନାମକରଣ କରାଯାଇଛି- ବିଦ୍ୟା ପ୍ରବେଶ । ସିବିଏସଇ ସ୍କୁଲଗୁଡିକରେ ତୃତୀୟ, ପଂଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ଆଧାରରେ ମୂଲ୍ୟାଙ୍କନ ପାଇଁ ଏକ ଢାଞ୍ଚା ପ୍ରସ୍ତୁତ ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ ରହିବ, ଯାହା ସଂପୂର୍ଣ୍ଣ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଆଧାରିତ ହେବ ।

ମୋଦୀ କହିଛନ୍ତି ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ସବୁପ୍ରକାର ଚାପରୁ ମୁକ୍ତ ରଖାଯାଇଛି । ଏଣିକି ପିଲା କେତେ ପଢିବେ ଓ କେତେ ସମୟ ପଢିବେ ତାହା କେବଳ ଶିକ୍ଷାନୁଷ୍ଠାନ ସ୍ଥିର କରିବେ ନାହିଁ  ବରଂ ଏଥିରେ ଛାତ୍ରଛାତ୍ରୀଙ୍କ ସହଭାଗିତା ରହିବ । ଯୁବପିଢୀ ପରିବର୍ତ୍ତନ ପାଇଁ ପୂରା ପ୍ରସ୍ତୁତ । ଯୁବପୀଢିଙ୍କୁ ସୁଯୋଗ ଦରକାର, ବନ୍ଧନରୁ ମୁକ୍ତି ଦରକାର । ନୂଆ ଶିକ୍ଷା ନୀତିକୁ ବେଶ ସହଜରେ ଗ୍ରହଣ କରିଛନ୍ତି ଛାତ୍ରଛାତ୍ରୀ ।

ଏଣିକି ୫ଟି ଆଂଚଳିକ ଭାଷାରେ ଇଂଜିନିୟରିଂ ପାଠ ପଢିବେ ପିଲା । ୮ଟି ରାଜ୍ୟରେ ୧୪ ଟି ଇଂଜିନିୟରିଂ କଲେଜରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଗତବର୍ଷ ଅଣାଯାଇଥିଲା ଜାତୀୟ ଶିକ୍ଷା ନୀତି । ଏହାର ବର୍ଷପୂର୍ତ୍ତି  ଅବସରରେ ଜାତୀୟ ଶିକ୍ଷା ନୀତିକୁ ଆହୁରି ସରଳୀକରଣ କରାଯାଇଥିବା ମୋଦୀ ଘୋଷଣା କରିଛନ୍ତି । ହିିନ୍ଦୀ ସହ ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳା ଭାଷାରେ ପିଲା ପଢିବେ ଇଂଜିନିୟରିଂ ପାଠ । କେବଳ ସେତିକି ନୁହେଁ ୧୧ଟି ଆଂଚଳିକ ଭାଷାରେ ଇଂଜିନିୟରିଂ ପାଠ୍ୟକ୍ରମର ଟ୍ରାନ୍ସଲେସନ ବା ଅନୁବାଦ କରିବା ପାଇଁ ଏକ ଟୁଲ ବିକାଶ କରାଯାଇଥିବା ମୋଦୀ କହିଛନ୍ତି । ସାଇନ ଲାଙ୍ଗୁଏଜ ବା ସାଂକେତିକ ଭାଷାକୁ ପ୍ରଥମଥର ପାଇଁ ଏକ ବିଷୟ ଭାବରେ ଚୟନ କରିପାରିବେ ଛାତ୍ରଛାତ୍ରୀ । ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କୁ ଉପକାର ମିଳିବ ବୋଲି ମୋଦୀ କହିଛନ୍ତି ।