ଦେଶରେ ୧୦୦ କୋଟି ଟପିଲା ଟିକାକରଣ । ମୋଦୀ କହିଲେ, ପ୍ରତିଟି ପ୍ରଶ୍ନର ଉତ୍ତର ଦେଲା ଏହି ସଫଳତା ।

107

କନକ ବ୍ୟୁରୋ: ଭାରତ ୧୦୦ କୋଟି କୋଭିଡ୍ ଟିକାକରଣ ଲକ୍ଷ୍ୟ ପୂରଣ କରିବା ପରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଲକ୍ଷ୍ୟପୂରଣ କରିବା ଦିଗରେ ୧୩୦ କୋଟି ଦେଶବାସୀଙ୍କ କର୍ତ୍ତବ୍ୟ ରହିଛି, ତେଣୁ ଏହି ସଫଳତା ଭାରତର ସଫଳତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ଟିକାକରଣ ଉପରେ ଅନ୍ୟ ଦେଶମାନଙ୍କର ପୂର୍ବରୁ ପାରଦର୍ଶିତା ଥିଲା । ବିଦେଶରେ ବିଭିନ୍ନ ଟିକାକୁ ନେଇ ଅନୁସନ୍ଧାନ ଜାରି ରହିଥିଲା । ଭାରତ ଏହ କ୍ଷେତ୍ରରେ ପ୍ରାୟତଃ ନିର୍ଭରଶୀଳ ଥିଲେ ମଧ୍ୟ ଖୁବ କମ୍ ଦିନ ଭିତରେ ସଫଳତା ପାଇବା ସହିତ ଏବେ ଶହେ କୋଟି ଟିକାକରଣ କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଅନ୍ୟପଟେ ଯେତେବେଳେ ଭାରତରେ ଟିକାକରଣ ଆରମ୍ଭ ହେଲା ସେତେବେଳେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲା ବୋଲି ମୋଦୀ କହିଛନ୍ତି । ଟିକାକରଣ କରିବାକୁ ଭାରତ ସକ୍ଷମ ହେବ କି? ମହାମାରୀକୁ ଭାରତ କେମିତି ମୁକାବିଲା କରିବ? ଭାରତ କେବେ ଟିକା ପାଇବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ରହିଥିଲା । ହେଲେ ଗତକାଲି ୧୦୦ କୋଟି ଟିକାକରଣ ଏହି ସବୁ ପ୍ରଶ୍ନର ଜବାବ ଦେଇଛି । ଗୁରୁବାର ଭାରତରେ ୧୦୦ କୋଟି ଡୋଜ୍ କୋଭିଡ୍ ଟିକାକରଣ ହୋଇଛି ବୋଲି ମୋଦୀ କହିଛନ୍ତି ।

ସେହିପରି ସବକା ସାଥ୍ ନାରାକୁ ନେଇ ଦେଶରେ ଟିକାକରଣ ଆଗେଇଥିଲା । ଯେଉଁଥିରେ ଲୋକଙ୍କୁ ମାଗଣା ଭ୍ୟାକ୍ସି ଦିଆଯାଇଥିଲା । ଗରିବ ହେଉ କି ଧନୀ, ଗାଁଠୁ ଆରମ୍ଭ କରି ସହର ସବୁଠି ଲୋକମାନେ ମାଗଣାରେ ଟିକା ନେଇଥିଲେ । ଟିକାକରଣରେ ଭିଆଇପି ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇନଥିଲା । ତେବେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ରରେ ଲୋକଙ୍କ ଏହି ସଂଯମତା, ଶୃଙ୍ଖଳା ଏପରି କାର୍ଯ୍ୟ କରି ଦେଖାଇଛି ବୋଲି ମୋଦୀ କହିଛନ୍ତି ।

ଖାଲି ସେତିକି ନୁହେଁ, ଏହି ରେକର୍ଡ ଟିକାକରଣ ପରେ ବିଦେଶରୁ ଅନେକ ବିଶେଷଜ୍ଞ ଓ ଏଜେନ୍ସି ଭାରତ ପ୍ରତି ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି । ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ତେବେ ସ୍ୱଚ୍ଛ ଭାରତ ଅଭିଯାନ ଯେପରି ଏକ ଜନ ଆନ୍ଦୋଳନ ହୋଇପାରିଛି, ସେହିପରି ଭୋକାଲ୍ ଫର୍ ଲୋକାଲ ଆମକୁ ହେବାକୁ ପଡିବ । ଆମ ଦେଶରେ ନିର୍ମାଣ ହେଉଥିବା ଜିନିଷକୁ ଆମକୁ କିଣିବାକୁ ହେବ ବୋଲି ମୋଦୀ କହିଛନ୍ତି ।