କନକ ବ୍ୟୁରୋ: ଆଜି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ କରୋନା ମୁକାବିଲା ନେଇ ଲୋକଙ୍କୁ ସତର୍କତା କରାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ଆଲୋଚନା କରିଛନ୍ତି ମୋଦି । ଆଜି ଅନଲକ-୧ ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତାକାଲିଠାରୁ ଜୁଲାଇ ୩୧ ଯାଏଁ ଦେଶରେ ଅନଲକର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ତେବେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦି କହିଛନ୍ତି ଯେ, ଲକଡାଉନ ସମୟରେ ଲୋକେ ଗମ୍ଭୀରତାର ସହ ନିୟମକୁ ପାଳନ କରିଥିଲେ । ହେଲେ ଯେତେବେଳେ ଦେଶରେ ଅନଲକ-୧ ଆରମ୍ଭ ହେଲା ସେତେବେଳେ ଲୋକେ ଏଥିରେ ଅବହେଳା ପ୍ରଦର୍ଶନ କରିବା ଆରମ୍ଭ କରିଦେଲେ । ତେଣୁ କରୋନା ମହାମାରୀର ଭୟାବହତା ଦୃଷ୍ଟିରୁ ଆମକୁ ପୂର୍ବପେକ୍ଷା ଆହୁରୀ ସଚେତନତା ଅବଲମ୍ବନ କରିବାକୁ ହେବ । ସରକାରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ସଂସ୍ଥା , ଦେଶର ପ୍ରତିଟି ନାଗରିକଙ୍କୁ ପୁଣି ଥରେ ପୂର୍ବ ଭଳି ସତର୍କତା ପାଳନ କରିବାକୁ ପଡିବ ଏବଂ ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ରୋକିବାକୁ ଏବଂ ବୁଝାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହିକ୍ରମରେ ମୋଦି କହିଛନ୍ତି ଯେ, ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ୧୩ ହଜାର ଟଙ୍କାର ଜରିମାନା ଦେବାକୁ ପଡିଛି, କାରଣ ସେ ବିନା ମାସ୍କରେ ସାର୍ବଜନୀକ ସ୍ଥାନକୁ ଯାଇଥିଲେ । ତେଣୁ ଭାରତରେ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା ଆଭିମୁଖ୍ୟ ପୋଷଣ କରିବାକୁ ହେବ । ଗାଁର ମୁଖିଆ ହୁଅନ୍ତୁ ଅବା ସେ ଦେଶରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଆଇନ ଉପରେ କେହି ନୁହଁନ୍ତି ବୋଲି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।