ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେବ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ । ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ ।

129

କନକ ବ୍ୟୁରୋ : ଦେଶକୁ ମିଳିବ କ୍ରୀଡା ବିଶ୍ୱବିଦ୍ୟାଳୟ । ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେବ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ । ମିରଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି । ଗୋଟିଏ କ୍ୟାମ୍ପସରେ ଏକାସାଙ୍ଗରେ ପ୍ରଶିକ୍ଷଣ ନେବେ ୧୦୮୦ କ୍ରୀଡାବିତ୍ ।

ଉଭୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପରେ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ୁଥିବା ବେଳେ ଦେଶରେ ପ୍ରତିଷ୍ଠା ହେବାକୁ ଯାଉଛି ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ । ଉତ୍ତରପ୍ରଦେଶର ମିରଟରେ ଏହାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭ ଶହ କୋଟି ଟଙ୍କା ବ୍ୟୟରେ ମିରଟର ସରଧାନାରେ ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଦେଶରେ କ୍ରୀଡାର ପ୍ରଚାର ପ୍ରସାର କରିବା ସହ କ୍ରୀଡାକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ନାମରେ ହେବାକୁ ଏହି କ୍ରୀଡ଼ା ବିଶ୍ୱବିଦ୍ୟଳୟର କ’ଣ ରହିଛି ବିଶେଷତ୍ୱ, ନଜର ପକାନ୍ତୁ
– ୯୧.୩୮ ଏକର ଜାଗାରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ
– ୭୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ କ୍ରୀଡ଼ା ବିଶ୍ୱବିଦ୍ୟାଳୟ
– ଏକା ସାଙ୍ଗରେ ୧୦୮୦ ଜଣ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଇପାରିବ
– ୫୪୦ ଜଣ ମହିଳା ମଧ୍ୟ ଷ୍ଟାଡିୟମରେ ଟ୍ରେନିଂ ନେଇପାରିବେ
– ଆଉଟଡୋର ଗେମ୍ ପାଇଁ ୨୫ରୁ ୩୦ ହଜାର ଲୋକ ବସିବାର କ୍ଷମତା
– କୁସ୍ତି, ଖୋଖୋ ଓ କବାଡ଼ି ପରି ଖେଳ ପାଇଁ ୫ ହଜାର କ୍ଷମତା ବିଶିଷ୍ଟ ହଲ
– ସିନ୍ଥେଟିକ୍ ହକି ଷ୍ଟାଡିୟମ୍ ଓ ଫୁଟବଲ ଷ୍ଟାଡିୟମ୍ ରହିବ
– ବାସ୍କେଟବଲ୍, ଭଲିବଲ ଓ ଟେନିସ୍ କୋର୍ଟର ବ୍ୟବସ୍ଥା
– ସିନ୍ଥେଟିକ୍ ରନିଂ ଷ୍ଟାଡିୟମ୍, ସୁଇମିଂ ପୁଲ ଭଳି ସୁବିଧା
– ତୀରନ୍ଦାଜି ଆଦି ଖେଳ ପରି ସୁଟିଂ ରେଂଜର ବ୍ୟବସ୍ଥା

ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ଏବେଠାରୁ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି । ପ୍ରଧାନମନ୍ତ୍ରୀ ୟୁପି ପାଇଁ ଗୋଟିଏ ପରେ ଗୋଟିଏ ଗୋଟିଏ ଘୋଷଣା କରୁଛନ୍ତି । ସେପଟେ ବିରୋଧୀଙ୍କ ଅଭିଯୋଗ, ଭୋଟ ହାତେଇବାକୁ ବିଜେପି ଶସ୍ତା ରାଜନୀତି କରୁଛି ।