ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ  ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଇତିହାସକୁ ନେଇ କହିଲେ ଏମିତି କଥା

68

କନକ ବ୍ୟୁରୋ : ମଙ୍ଗଳବାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବସନ୍ତ ପଞ୍ଚମୀର ଶୁଭକାମନା ଜଣାଇଥିଲେ । ଏହାସହ ସୁହେଲଦେବଙ୍କ ନାମରେ ହୋଇଥିବା ମେଡିକାଲ କଲେଜ ମାଧ୍ୟମରେ ଜନତା ଉପକୃତ ହେବେ ବୋଲି ସେ କହିଛନ୍ତି ।

ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଓ ଚାଷୀ ଆନ୍ଦୋଳନକୁ ନେଇ କହିଥିଲେ କି ଦେଶର ଇତିହାସ ତାହା ନୁହେଁ ‘ଯାହା ଦେଶକୁ ଗୋଲାମ କରୁଥିବା ଓ ଗୋଲାମୀ ମାନସିକତା ରଖିଥିବା ଲୋକେ ଲେଖିଛନ୍ତି ’ । ବରଂ ଦେଶର ଇତିହାସ ତାହା ଯାହାକୁ ଦେଶର ସାଧାରଣ ଲୋକମାନେ ଲେଖିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଥିଲେ କି ଦେଶର କେତକ ନାୟକ ଓ ନାୟିକାଙ୍କୁ ଇତିହାସରେ ସ୍ଥାନ ଦିଆଯାଇନାହିଁ ଓ ସେମାନଙ୍କୁ ସମ୍ମାନ କରାଯାଇ ନାହିଁ । ହେଲେ ଏବେ ଦେଶ ଏହାକୁ ସୁଧାରିବାକୁ ଚେଷ୍ଟା କରୁଛି । ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ୍ ଫୌଜକୁ ଦେଶ ଯେତିକି ସମ୍ମାନ ଦେବା କଥା ତାହା ଦେଇନାହିଁ । ଏହାସହ ସର୍ଦ୍ଦାର ପଟେଲଙ୍କ ସହ ଯାହା ହୋଇଥିଲା ତାହା ସମଗ୍ର ଦେଶବାସୀ ଜାଣନ୍ତି ବୋଲି ସେ କହିଥିଲେ । ହେଲେ ଆମ ସରକାର ଆସିବା ପରେ ପ୍ରଥମେ ସର୍ଦ୍ଦାର ପଟେଲଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରି ଲୌହ ମାନବଙ୍କୁ ସମ୍ମାନିତ କରିଛୁ ।