ସମବାୟ ବ୍ୟାଙ୍କ ଚାଷୀଙ୍କୁ ଏ ଯାଏ ମିଳିଲାନି ପିଏମ୍‌ କିଷାନ ସହାୟତା : ଚାଷୀ ମହଲରେ ଦାନା ବାନ୍ଧୁଛି ଅସନ୍ତୋଷ

207

କନକ ବ୍ୟୁରୋ : ସମବାୟ ବ୍ୟାଙ୍କରେ ଜମା ଖାତା ଥିବା ଚାଷୀଙ୍କୁ ଏ ଯାଏଁ ମିଳିଲାନି ପିଏମ୍‌ କିଷାନ ସହାୟତା । ଆଇଏଫ୍‌ସ୍‌ସି କୋଡ଼ ସଂଶୋଧନ ତାଲିକା କେନ୍ଦ୍ରକୁ ପଠାଇ ଚୁପ୍‌ ବସିଛି କୃଷି ବିଭାଗ । କେବେ ଚାଷୀଙ୍କ ଆକାଉଣ୍ଟରେ ଅର୍ଥ ଆସିବ ସେ ନେଇ କିଛି ବି ଉତ୍ତର ମିଳୁନି। ପିଏମ୍‌ କିଷାନ୍‌ ହିତାଧିକାରୀଙ୍କ ତାଲିକା ସମ୍ପର୍କରେ ଆଲୋଚନା ନେଇ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ବିଜେପି ଗୃହରେ ହଙ୍ଗାମା କରିଥିଲା । ଏ ନେଇ ସମସ୍ତ ବିରୋଧୀ ବି ଶୂନ୍ୟକାଳରେ ପ୍ରଶ୍ନ ଉଠାଇଥିଲେ। ତଥାପି ସରକାରଙ୍କ ଚେତା ପଶିନି। ଖରିଫ ଚାଷ ଋତୁ ସରିବାକୁ ବସିଲାଣି । ସହାୟତା ଅର୍ଥ ମିଳିଲେ ଚାଷ କାର୍ଯ୍ୟରେ ଲାଗିବ ବୋଲି ଚାଷୀମାନେ ଚାହିଁ ବସିଛନ୍ତି । ହେଲେ କୃଷି ମନ୍ତ୍ରୀ କି ବିଭାଗୀୟ ପଦାଧିକାରୀ ଏ ବାବଦରେ କିଛି ତତ୍ପରତା ଦେଖାଉନାହାନ୍ତି । ଫଳରେ ଏହାକୁ ନେଇ ପୁରୀ ଜିଲ୍ଲାଠୁ ଆରମ୍ଭ କରି ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଗତ ଜୁଲାଇ ମାସରେ ହଜାର ହଜାର ଚାଷୀଙ୍କ ଆକାଉଣ୍ଟରେ ପିଏମ୍‌ କିଷାନ ଅର୍ଥ ଜମା ହେଉନଥିବା ନେଇ ଅଭିଯୋଗ ହୋଇଥିଲା । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବହୁ ଚାଷୀ ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ କୃଷି ନିର୍ଦ୍ଦେଶକଙ୍କୁ ଅଭିଯୋଗ କଲେ । କୃଷି ବିଭାଗର ପିଏମ୍‌ କିଷାନ ସେଲ୍‌ ଦାୟିତ୍ବରେ ଥିବା ଜନୈକ ଅଧିକାରୀ ସେତେବେଳେ କହିଥିଲେ, ଗୋଟିଏ ଲେଖାଏଁ ଆଇଏଫ୍‌ଏସ୍‌ସି କୋଡ଼ ଏକାଧିକ ସମବାୟ ବ୍ୟାଙ୍କ ଶାଖା ପାଇଁ ଥିବାରୁ ଏହି ସହାୟତା ଅର୍ଥ ଜମା ହେବାରେ ଅସୁବିଧା ହେଉଛି । ଗୋଟିଏ ଲେଖାଏଁ ଚାଷୀଙ୍କ ଆକାଉଣ୍ଟରେ ଏକାଧିକ ଥର ଅର୍ଥ ରାଶି ଜମା କରିବାକୁ ଉଦ୍ୟମ କରାଯାଇଥିଲା । ଏହି ଦୃଷ୍ଟିରୁ ପ୍ରାୟ ୮୦ ହଜାର ଚାଷୀଙ୍କର ବ୍ୟାଙ୍କ ଖାତାରେ ଟଙ୍କା ଜମା ହୋଇପାରୁନଥିବା ନେଇ ଅଭିଯୋଗ ମିଳିଛି ।

କିନ୍ତୁ ଯାଞ୍ଚ ପରେ ଜଣାପଡ଼ିଥିଲା ପ୍ରାୟ ୨୦ ହଜାର ଚାଷୀ ଏହି ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସମବାୟ ବ୍ୟାଙ୍କ ସମସ୍ତ ଶାଖା ପାଇଁ ସ୍ବତନ୍ତ୍ର ଆଇଏଫ୍‌ଏସ୍‌ସି କୋଡ଼ ପ୍ରଦାନ କରିଛି । ଏନ୍‌ଆଇସି ଜରିଆରେ ଏହାର ଅପଲୋଡ କାମ ଆସନ୍ତା ୧୫ ଦିନ ଭିତରେ ସରିଯିବ । ଅର୍ଥାତ୍‌ ଗତ ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଅପଲୋଡ୍‌ କାର୍ଯ୍ୟ ସରିଯିବା କଥା। ସଂଶୋଧିତ ତାଲିକା କେନ୍ଦ୍ରକୁ ପଠାଇବା ପରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ ପିଏମ୍‌ କିଷାନ୍‌ ଅର୍ଥ ମିଳିବାରେ ଅସୁବିଧା ହେବନି । ଏବେ ସମ୍ପୃକ୍ତ ଅଧିକାରୀ ଅବସର ଗ୍ରହଣ କରିସାରିଲେଣି । ଅଧିକାରୀଙ୍କ କହିବା ମୁତାବକ ମାସେ ପୂରିଲାଣି ଅଥଚ ଏବେସୁଦ୍ଧା ବି ଚାଷୀଙ୍କ ଆକାଉଣ୍ଟରେ ପିଏମ୍‌ କିଷାନ ଅର୍ଥ ପହଞ୍ଚିଲାନି ।

ଚାଷୀମାନଙ୍କ ଅଭିଯୋଗ ଆଇଏଫ୍‌ଏସ୍‌ସି କୋଡ଼ ବଦଳିବା ପରେ ବି ସରକାରଙ୍କ ପିଏଫଏମ୍‌ଏସ୍‌ ବ୍ୟବସ୍ଥାରେ ସମ୍ପୃକ୍ତ ବ୍ୟାଙ୍କ ଶାଖା ବୈଧ ନୁହେଁ ବୋଲି ଲେଖୁଛି । ଅର୍ଥାତ୍‌ ନୂଆ ଆଇଏଫ୍‌ଏସ୍‌ସି କୋଡ଼ ଜାରି କରି ସମବାୟ ବିଭାଗ ବି ଚୁପ୍‌ ବସିଛି । ଚାଷୀଙ୍କ ପ୍ରତି କାହାର ବି ଦରଦ ନ ଥିଲା ପରି ଜଣାପଡ଼ୁଛି । ପିଏମ୍‌ କିଷାନ ସେଲ୍‌ର ଆଉ ଜଣେ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ତାଙ୍କ କାମ ସାରିଛନ୍ତି । ଏବେ ଚାଷୀଙ୍କୁ ଅର୍ଥ ପଠାଇବା ଦାୟିତ୍ବ କେନ୍ଦ୍ର କୃଷି ବିଭାଗର । ଖାଲିସେତିକି ନୁହେଁ, ପିଏମ୍‌ କିଷାନ୍‌ର ପ୍ରଥମ କିସ୍ତି ଅର୍ଥ ବହୁ ବଡ଼ ଚାଷୀ ଓ ଆୟକର ଦେଉଥିବା ଚାଷୀ ବି ପାଇଛନ୍ତି । ସେମାନଙ୍କଠାରୁ ଅର୍ଥ ଫେରସ୍ତ କରିବା ନେଇ ମଧ୍ୟ ପ୍ରକ୍ରିୟା ଜାରି ଅଛି। ଏଥିପାଇଁ ସମୟ ଲାଗୁଛି। ତେବେ କେନ୍ଦ୍ର ସରକାରଙ୍କ ତାଙ୍କ ସର୍ଭରରେ ଚାଷୀଙ୍କ ତାଲିକା ଅପଲୋଡ଼ କରିବା ପରେ ଚାଷୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ଆସିବ ।