ବଦଳିଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ରୂପରେଖ, ୧୦ମ କିସ୍ତିରେ ବି ଏହି ଚାଷୀମାନେ ପାଇବେ ଲାଭ

706

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର କୃଷକମାନଙ୍କ ଖାତାକୁ ୯ କିସ୍ତିରେ ଟଙ୍କା ପଠାଇଛନ୍ତି । ଏବେ ୧୦ମ କିସ୍ତି ଆସିବ । ହେଲେ ଏହା ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର ସରକାର ବଡ ଧରଣର ଅଦଳ ବଦଳ କରିଛନ୍ତି । ଯୋଜନା ଆରମ୍ଭରେ ସରକାର ଯେଉଁ କୃଷକମାନଙ୍କ ପାଖରେ ସର୍ବାଧିକ ୨ ହେକ୍ଟର ବା ୫ ଏକର ପର୍ଯ୍ୟନ୍ତ ଚାଷ ଉପଯୋଗୀ ଜମି ରହିଥିଲା ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ହେଲେ ସରକାର ଏବେ ଏହି ଜମି ସୀମାକୁ ଉଠାଇ ଦେଇଛନ୍ତି । ଅର୍ଥାତ ଏବେ ସମସ୍ତ ଚାଷୀଙ୍କୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ।

ଅନ୍ୟପଟେ ଏହି ଯୋଜନାରୁ ଲାଭ ନେବାକୁ ଚାହୁଁଥିବା ଚାଷୀ ଓ ପୂର୍ବରୁ ଯୋଜନା ସହିତ ଜଡିତ ଥିବା ଚାଷୀମାନଙ୍କୁ ନୂତନ ଭାବେ ପଞ୍ଜିକରଣ କରିବାକୁ ପଡିବ । ଅର୍ଥାତ ସେମାନେ ସେମାନଙ୍କ ରାସନ କାର୍ଡର ସଫ୍ଟ କପିକୁ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ । ଯାଂଚ ପରେ ପରିବାରର କୌଣସି ସଦସ୍ୟଙ୍କୁ ଏହି ଯୋଜନାର ଲାଭ ମିଳିବ । ଯଦି ଆପଣ ପ୍ରଥମରୁ ପଞ୍ଜିକରଣ କରିସାରିଛନ୍ତି ତେବେ ଆପଣ ଏବେ କେବଳ ରାସନ କାର୍ଡର ସଫ୍ଟ କପିକୁ ଉକ୍ତ ପୋର୍ଟାଲରେ ଅପଲୋଡ କରିବାକୁ ପଡିବ ।

ଅନ୍ୟପଟେ ଆପଣ ଏହି ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଜରୁରୀ । ନଚେତ ଆପଣ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ।