ବାରାଣାସୀରେ ମୋଦୀ, ବରଗଡ଼ରେ ମାଝୀ: ସେଠି କାର୍ଯ୍ୟକ୍ରମ, ଏଠି ରୋଡ୍ ସୋ, ଚାଷୀଙ୍କ ଖାତାକୁ ଗଲା ‘ପିଏମ୍ କିଷାନ ଟଙ୍କା’

285

କନକ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଚାଷୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ଟଙ୍କା ବଂଟନର ଶୁଭାରମ୍ଭ କରିଛନ୍ତି । ବରଗଡରେ ରାଜ୍ୟ ସରକାର ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି । ଏଥିପାଇଁ ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ସୋ କରିଥିଲେ । ବରଗଡ଼ ଗାନ୍ଧୀ ଛକରୁ ଏକ ବିଶାଳ ରୋଡ୍ ସୋ ବାହାରି ବାନ୍ଧୁଟିକ୍ର ପର୍ଯ୍ୟନ୍ତ ଯାଇଛି । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ପଠାଯାଇଛି । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଇଛି ।

ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟିତ୍ୱ ନେବା ପରେ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିବା ପରେ ଚାଷୀଙ୍କ କଥାକୁ ପ୍ରଥମିକତା ଦେଇଛନ୍ତି ସରକାର । ମୋଦୀ, ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରେ ପିଏମ୍ କିଷାନ ଟଙ୍କା ବଣ୍ଟନ ଆରମ୍ଭ କରିଥିବା ବେଳେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ରେ ଏହି କାର୍ଯ୍ୟକ୍ରମକୁ ଉତ୍ସବ ଭାବେ ପାଳନ କରିଛି ।

ପିଏମ କିଷାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ସୋ ଜରିଆରେ ଦିବସଟିକୁ ପାଳନ କରିଛନ୍ତି । ଏହି ଅବସରରେ ବରଗଡ଼ ଗାନ୍ଧୀ ଛକରୁ ଏକ ବିଶାଳ ରୋଡ୍ ସୋ ବାହାରି ବାନ୍ଧୁଟିକ୍ର ପର୍ଯ୍ୟନ୍ତ ଯାଇଛି । ରୋଡ୍ ସୋ ପରେ ସିର୍କିଟ୍ ହାଉସରେ ପିଏମ୍ କିଷାନ ଯୋଜନାର ୧୭ତମ କିସ୍ତ ପ୍ରଦାନ କରାଯାଇଛି । ଆଉ ଶେଷରେ ଜନତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ ।

ଏପଟେ ଉତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଦେଶର ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପିଏମ କିଷାନ ଟଙ୍କା । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ପଠାଯାଇଛି । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଇଛି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ବାରଣାସୀରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ଗସ୍ତକୁ ଚାଷୀଙ୍କ ପାଇଁ ଉର୍ତ୍ସଗ କରିିଛନ୍ତି । ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର ।