ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ସଂପର୍କିତ ସୂଚନା ଦେଲେ ସେନା ଅଧିକାରୀ: ତିନି ସେନାମୁଖ୍ୟ ଏବଂ ଡୋଭାଲଙ୍କ ସହ ସୀମା ସ୍ଥିତି ନେଇ ଆଲୋଚନା କଲେ ମୋଦି

ସେନା ଓ ସରକାର ସହ ଅଛନ୍ତି ବିରୋଧୀ । ରାହୁଲ କହିଲେ ସେନା ଓ ସହିଦଙ୍କୁ ନେଇ ନ ହେଉ ରାଜନୀତି

165

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଧିରେ ଧିରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏହି ସ୍ଥିତିର ମୁକାବିଲା ପାଇଁ ବସୁଛି ତୁହାକୁ ତୁହା ବୈଠକ । ସୀମାରେ ପାକିସ୍ତାନର ଦୁଃସାହାସକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛି ଭାରତୀୟ ସେନା । ଗତକାଲି ସେଭେନ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ବୈଠକରେ ଗୃହମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ତିନି ସେନା ମୁଖ୍ୟଙ୍କ ସମେତ ବରିଷ୍ଠ ସେନା ଅଧିକାରୀମାନେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡୋଶୀ ରାଷ୍ଟ୍ରର ଚାପ ଆଗରେ ନଇଁବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତିନି ସେନାଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଜବାବ ଦେବାକୁ ସେ କହିଛନ୍ତି । ଏଥପାଇଁ ସେନାକୁ ସ୍ଥାନ, ସମୟ ଓ ଜବାବ ଦେବାର ତରିକା ଉପରେ ନିଷ୍ପତି ଛାଡି ଦିଆଯାଇଛି । ବର୍ତମାନ ସ୍ଥିତିରେ ଆଗକୁ କଣ ପଦକ୍ଷେପ ନିଆଯିବ ସେନେଇ ବୈଠକରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।

 

ସେପଟେ, ଭାରତୀୟ ସେନା ସହ ବିରୋଧୀ ଦଳ ଅଛନ୍ତି । ବିରୋଧୀ ଦଳ ବୈଠକ ପରେ ମିଳିତ ବିବୃତି ପଢି ଏହି ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାଲାକୋଟରେ ଆକ୍ରମଣ ଓ ଏହାପରେ ପାକିସ୍ତାନର ଦୁଃସାହାସକୁ ବିଫଳ କରିଥିବାରୁ ସେନାକୁ ସବୁ ବିରୋଧୀ ଦଳ ପ୍ରଶଂସା କରିଛନ୍ତି । ଏଥିସହ ପାକିସ୍ତାନ କବଜାରେ ଥିବା ପାଇଲଟକୁ ତୁରନ୍ତ ଫେରାଇ ଆଣିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

 

ଗତକାଲି ସଂସଦର ଲାଇବ୍ରେରୀରେ ୨୧ବିରୋଧୀ ଦଳ ଏକାଠି ହୋଇଥିଲେ । ପାକିସ୍ତାନ ଓ ଭାରତ ମଧ୍ୟରେ ବଢୁଥିବା ଉତେଜନାକୁ ନେଇ ବିରୋଧୀ ଦଳର ନେତା ଏକାଠି ବସି ଆଲୋଚନା କରିଛନ୍ତି । ପୁଲୱାମା ଆକ୍ରମଣକୁ ନିନ୍ଦା ଓ ପାକ୍ ମାଟିରେ ଭାରତୀୟ ବାୟୁସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବିରୋଧୀ ଦଳ । ତେବେ ପୁରା ଘଟଣାକୁ ନେଇ ଶାସକ ଦଳ ରାଜନୀତି କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି । ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ।