ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସମ୍ବଲପୁରରୁ ନିର୍ବାଚନୀ ବିଗୁଲ ବଜାଇବେ ମୋଦୀ?

61

କନକ ବ୍ୟୁରୋ: ଆସନ୍ତାକାଲି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟରେ ଶାସକ ବିରୋଧୀ ତୁ ତୁ ମେଁ ମେଁ ଭିତରେ ମୋଦୀଙ୍କ ସମ୍ବଲପୁର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଯଦିଓ ମୋଦୀଙ୍କ ଗସ୍ତ ସରକାରୀ କାର୍ଯ୍ୟକ୍ରମ । କିନ୍ତୁ ଏହି ଅବସରରେ ଏକ ବିଶାଳ ଗ୍ୟାରେଂଟି ସମାବେଶ ହେବ । ଲକ୍ଷେରୁ ଅଧିକ ଲୋକ ଏହି ସମାବେଶରେ ସାମିଲ ହେବାର ଅଛି । ଯାହାକି ରାଜ୍ୟର ବିରୋଧୀ ଦଳ ବିଜେପି ନେତାଙ୍କ ମନରେ ଉତ୍ସାହ ଭରିବ । ତେବେ କଂଗ୍ରେସ ଓ ବିଜେଡି କହିଛନ୍ତି ଓଡ଼ିଶାରେ ନାହିଁ ମୋଦୀଙ୍କ ପ୍ରଭାବ ।

ସମ୍ବଲପୁର ଆଇଆଇଏମର ନୂଆ କ୍ୟାମ୍ପସର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ । ଲୋକାର୍ପଣ ଉତ୍ସବରେ ସାମିଲ ହେବେ ୪ ହଜାରରୁ ଅଧିକ ଅତିଥି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗସ୍ତଅବସରରେ ପ୍ରଧାନମନ୍ତ୍ରୀ ୬୮ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଲୋକାର୍ପଣ ଉତ୍ସବ ପରେ ରେମେଡରେ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ମୋଦୀ । ୨୦୧୯ ନିର୍ବାଚନ ପରେ ରାଜ୍ୟ ସରକାରଙ୍କୁ ଶାଣୀତ ଆକ୍ରମଣ କରିନାହାନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ।

ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି । ତେବେ କଂଗ୍ରେସ ଓ ବିଜେଡି କହିଛନ୍ତି ଓଡ଼ିଶାରେ ଏହାର କିଛି ପ୍ରଭାବ ପଡିବ ନାହିଁ । ମୋଦୀଙ୍କ ଗସ୍ତକୁ ନେଇ ଚଳଚଂଚଳ ହୋଇଉଠିଛି ସମ୍ବଲପୁର । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି ସମ୍ବଲପୁର ଏସପି ଓ ବରିଷ୍ଠ ପୁଲିସ ଅଧିକାରୀ ।