କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ପଞ୍ଚରା ପଞ୍ଚାୟତରୁ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅସଲ ଚିତ୍ର । ଗରିବ ଲୋକଙ୍କୁ ଘର ମିଳିଛି ସତ ହେଲେ ଘର ସମ୍ପୂର୍ଣ୍ଣ ନକରି ଟଙ୍କା ହଡପ କରିନେଇଛନ୍ତି ଠିକାଦାର । ଆଉ ଲୋକମାନଙ୍କ ଅବସ୍ଥା ପୂର୍ବରୁ ଯେମିତି ଏବେ ବି ସେମିତି ।
ସୁରେନ୍ଦ୍ର ପାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬-୧୭ ମସିହାରେ କାର୍ଯ୍ୟାଦେଶ ଦିଆଯାଇଥିଲା । ହେଲେ କିସ୍ତି ପରେ କିସ୍ତି କରି ସବୁ ଟଙ୍କା ନେଇଗଲେ ଠିକାଦାର ଆଉ ଘର ଅସଂପୂର୍ଣ୍ଣ କରି ଛାଡିଦେଲେ । ପଞ୍ଚରା ପଞ୍ଚାୟତର ପୂର୍ବତନ ସରପଞ୍ଚ କଳାକର ମିଞ୍ଜ ଠିକାଦାର ଭାବେ ଲୋକଙ୍କ ଘର ନିର୍ମାଣ କରିଛନ୍ତି କିନ୍ତୁ ଘର ସମ୍ପୂର୍ଣ୍ଣ ହୋଇନଥିବା ବେଳେ ସବୁ ଟଙ୍କା ନେଇଯାଇଛନ୍ତି । ସେହିପରି ପଞ୍ଚରା ଗାଁର ସରସ୍ୱତୀ ନାୟକଙ୍କୁ ଆବାସ ଯୋଜନାରେ ମିଳିଥିବା ଘରର ଗୋଟିଏ ପଟ ମାଟି କାନ୍ଥ ଧସି ଯାଇଛି । ତଥାପି ନିଜ ପରିବାରକୁ ନେଇ ସେହି ଭଙ୍ଗାଘରେ ରହୁଛନ୍ତି ସରସ୍ୱତୀ ।
ଅନ୍ୟପଟେ ଆଉ ଦୁଇ ହିତାଧିକାରୀ ଗୋବିନ୍ଦ ଏବଂ ଗୋପାଳ ସୁରେନଙ୍କ ଘର ତିଆରି ପାଇଁ ଆସିଥିବା ଟଙ୍କା ମଧ୍ୟ ଠିକାଦାର ନେଇଥିବାବେଳେ ଅସଂପୂର୍ଣ୍ଣ ଘର ଛାଡି ଦେଇଥିବା ଅଭିଯୋଗ ହୋଇଛି । ଗୋପାଳ ସୁରେନଙ୍କ ଛାତ ମଧ୍ୟ ପଡିନାହିଁ ହେଲେ ସବୁ ଟଙ୍କା ସରିଯାଇଛି । ତେଣୁ ଏଠି ପ୍ରଶ୍ନ ଉଠୁଛି ଘର ଅସମ୍ପୂର୍ଣ୍ଣ ହୋଇଥିବା ବେଳେ କେମିତି ଟଙ୍କା ଦିଆଗଲା ?
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦରଗଡ ଜିଲ୍ଲାରେ କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତରେ ୨୦୧୬-୧୭ରେ ୧୪୦ଟି, ୨୦୧୭-୧୮ରେ ପ୍ରଥମ ପର୍ଯ୍ୟାୟରେ ୬୨ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରେ ୨୦୪ ଟି ଘର ସଂପୂର୍ଣ୍ଣ ହୋଇଥିବା ତଥ୍ୟ ରହିଛି । ତେବେ ଏହାର ପ୍ରକୃତ ସତ କିନ୍ତୁ ଆଉ କିଛି । ତେଣୁ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ପଞ୍ଚରା ପଞ୍ଚାୟତରେ ମନରେଗା ଯୋଜନାରେ କୂଅ ର୍ଦୁନୀତି ସାମ୍ନାକୁ ଆସିଥିଲା । ଏହାପରେ ଉଭୟ ଭିଜିଲାନ୍ସ ଏବଂ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ଆବାସ ଯୋଜନାରେ ର୍ଦୁନୀତି ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/Comp-9-0-00-00-00.jpg)