ପ୍ରଧାନମନ୍ତ୍ରୀ ଆବାସକୁ ନେଇ ପୁଣି ବିଜେପି-ବିଜେଡି ମୁହାଁମୁହିଁ । ଘର ନମିଳିବା ପାଇଁ ଦାୟୀ କିଏ ?

121

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ, ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିବା ପରେ, କାହା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଘର ମିଳିଲା ନାହିଁ । ଏଥିପାଇଁ ପୁଣି ଥରେ ଆରମ୍ଭ ହୋଇଛି କେନ୍ଦ୍ର-ରାଜ୍ୟ କଳି । କେନ୍ଦ୍ରକୁ ପଞ୍ଚାୟତିରାଜ ମନ୍ତ୍ରୀ ଚିଠି ଲେଖିବା ପରେ ଏହି ବିବାଦ ବଢ଼ିଛି । ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ଚିଠି ଲେଖାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିବା ପରେ ଜବାବ ରଖିଛି ବିଜେଡି ।

ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଜନ ଅସନ୍ତୋଷର ଏମିିତି ଚିତ୍ର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯାହାର ମୁକାବିଲା ପାଇଁ ପୁଣି ଥରେ ଆରମ୍ଭ ହୋଇଛି କେନ୍ଦ୍ର-ରାଜ୍ୟ କଳି ।

ଘରକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଚିଠି । ପଞ୍ଚାୟତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନମିଳିବା ଏକ ବଡ ପ୍ରସଙ୍ଗ ହେବା ପରେ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛନ୍ତି ରାଜ୍ୟ ସରକାର । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ବିଭିନ୍ନ ଦାବି ରଖିଛନ୍ତି । ଚିଠିରେ ରଖିଥିବା ଦାବି ଗୁଡିକ ମଧ୍ୟରେ ରହିଛି..
– ଆବାସ ପ୍ଲସରେ ସମସ୍ତ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରଖାଯାଉ
– ଫୋନି ବାତ୍ୟା ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଉ
– ପ୍ରତିଶ୍ରୁତି ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ଲକ୍ଷ ୪୮ ହଜାର ସ୍ୱତନ୍ତ୍ର ଘର ଦିଆଯାଉ
-ଆବାସ ପ୍ଲସ ୱିଣ୍ଡୋକୁ ନୂଆ ହିତାଧିକାରୀଙ୍କ ପାଇଁ ଖୋଲାଯାଉ

ଘର ନମିଳିବା ପାଇଁ ଦାୟୀ କିଏ ? ବିଜେଡି-ବିଜେପି ଦୋଷ ଲଦାଲଦି । ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ବିଜେପି ନେତା କହିଛନ୍ତି, ପ୍ରଧାନମନ୍ତ୍ରୀ ଓଡିଶାକୁ ୧୭ ଲକ୍ଷ ଘର ଦେଲେ । ଏହାପରେ ୭ ଥର ଆବାସ ପ୍ଲସ ପୋର୍ଟାଲ ଖୋଲାଗଲା । ସେତେବେଳେ କାହିଁକି ରାଜ୍ୟ ସରକାର ତଥ୍ୟ ଦେଲେନାହିଁ । ଏବେ ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାଚନ ଚାଲିଥିବାରୁ ଲୋକେ ବିଜେଡିକୁ ପ୍ରଶ୍ନ କରୁଛନ୍ତି । ଆଉ ସେଥିପାଇଁ ଚିଠି ଲେଖାର ନାଟକ ଚାଲିଛି । ବିଜେପିର ଅଭିଯୋଗ ପରେ ଜବାବ ରଖି ବିଜେଡି କହିଛି, ରାଜ୍ୟକୁ କେନ୍ଦ୍ର ସମଦୃଷ୍ଟିରେ ଦେଖିବା ଆବଶ୍ୟକ । ଓଡ଼ିଶା କ୍ରମାଗତ ଭାବେ ଦାବି ଉପସ୍ଥାପନ କରୁଛି । ମୁଖ୍ୟମନ୍ତ୍ରୀ ୩ ଥର ଚିଠି ଲେଖିଛନ୍ତି, କିନ୍ତୁ ଏଯାଏଁ ଉତ୍ତର ଆସିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୀତି ନୂଆ ନୁହେଁ । ହେଲେ ରାଜ୍ୟର ହଜାର ହଜାର ଯୋଗ୍ୟ ହିତାଧିକାରୀ ଏବେ ବି ଘର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ।