କନକ ବ୍ୟୁରୋ : ଭଙ୍ଗା ଘରେ ପଲିଥିନ୍ ତଳେ ଜୀବନ । ଅତି ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ପାଂଚ ପ୍ରାଣୀ କୁଟୁମ୍ବ । ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ସିହୋପଡ଼ା ପଂଚାୟତ ସିହୋପଡ଼ା ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର । ଘର ଅବସ୍ଥା ନକହିବା ଭଲ । ଘରର ଚାରିପଟେ କାନ୍ଥ ପଡ଼ି ରହିଛି । ମୁଣ୍ଡ ଉପରେ ଛପର ନାହିଁ ସୂର୍ଯ୍ୟକିରଣ ପଡ଼ୁଛି । ଖରା, କାକରରେ ଭଙ୍ଗା ଘରେ ବଢ଼ିଲା ୩ ଝିଅ ଓ ପତ୍ନୀଙ୍କୁ ନେଇ ଚଳୁଛନ୍ତି ଗୋପବନ୍ଧୁ ଜେନା । ଘରର ବାଉଁଶ ଗୁଡ଼ିକ ଭାଙ୍ଗି ବାହାରିଗଲାଣି, ଚଳିବା ପାଇଁ ପଲିଥିନ୍ ସାହା । ଯେମିତି ଏହି ପରିବାର ଲାଗି ସରକାରୀ ଯୋଜନା ସାତସପନ ।
ପରର ମୂଲଲାଗି ପାଂଚ ବର୍ଷ ତଳେ ଧାରକରଜ କରି ଏକ ଚାଳ ଘର ତିଆରି କରିଥିଲେ । ଅର୍ଥ ଅଭାବରୁ ଅଧପନ୍ତରିଆ ହୋଇ ପଡ଼ିରହିଛି ଘର । ଘର ଖଣ୍ଡେ ଲାଗି ପଂଚାୟତକୁ ବାରମ୍ବାର ଯାଇ ଆବେଦନ କରିଥିଲେ ବି କେହି ଶୁଣୁନାହାଁନ୍ତି । ସରକାରୀ ଯୋଜନା କାହା ପାଇଁ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି । ସେହିପରି ଅର୍ଥ ଅଭାବରୁ ବଡ଼ ଝିଅ ଅଧାରୁ ପାଢ଼ ଛାଡ଼ିଥିବା ବେଳେ ଯଦି ସରକାରୀ ସାହାଯ୍ୟ ମିଳନ୍ତା ସେ ଆଗକୁ ପଢ଼ିପାରନ୍ତେ ବୋଲି କହିଛନ୍ତି । ଏନେଇ ବିଡିଓ କହିଛନ୍ତି ତଦନ୍ତ କରାଯିବ ଯଦି ପ୍ରକୃତ ହିତାଧିକାରୀ ହୋଇଥିବେ ତାଙ୍କୁ ସରକାରୀ ସାହାର୍ଯ୍ୟ ମିଳିବ ।
ଗୋପବନ୍ଧୁଙ୍କ ଭଳି ଅନେକ ଲୋକ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି । ଗୋପବନ୍ଧୁଙ୍କୁ ତୁରନ୍ତ ଘର ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।