କନକ ବ୍ୟୁରୋ : ଆଜି (ରବିବାର) ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ପଦାଧିକାରୀଙ୍କୁ ନେଇ ଏକ ବୈଠକ ବସିଛି । ଏହି ବୈଠକରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକ ସ୍ଥଳରେ ପହଂଚିଛନ୍ତି । ଏହାସହ ଦଳର ଅନ୍ୟ ବରିଷ୍ଠ ନେତା ମାନେ ବି ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Advertisment

ଆଗାମୀ କିଛି ମାସ ମଧ୍ୟରେ ଦେଶର ୫ ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ଏହି ବୈଠକରେ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି । ଏହି ବୈଠକ ସକାଳ ୧୦ ଟାରୁ ଆରମ୍ଭ ହୋଇଥିବା ବେଳେ ସଂନ୍ଧ୍ୟା ୫ ଟା ଯାଏ ଚାଲିବ । ଏନଡିଏମସି କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଅଧ୍ୟକ୍ଷତା କରୁଛନ୍ତି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିବା ପରେ ତାଙ୍କୁ ଜେ.ପି ନଡ୍ଡା ସ୍ୱାଗତ କରିଥିଲେ । ହେଲେ ଏହି ବୈଠକରେ ଚାଷୀ ଆନ୍ଦୋଳନ ଉପରେ ବିଶେଷ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି । ଦୀର୍ଘ ୩ ମାସ ହେବ କୃଷକ ସଂଗଠନ ମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ବିଲ୍ କୁ ବିରୋଧ କରି ଧାରଣାରେ ବସିଛନ୍ତି । ଏନେଇ କୃଷକ ମାନେ ବିଭିନ୍ନ ସ୍ଥାନରେ ମହାପଂଚାୟତ କରିବା ସହ ସିଧା ସଳଖ ଭାବେ ବିଜେପି କୁ ଟାର୍ଗେଟ୍ କରୁଛନ୍ତି । ଫଳରେ ଦେଶରେ ବିଜେପି ବଦନାମ ହେବାକୁ ଯାଉଛି । ଯାହାର ପ୍ରମାଣ ପଞ୍ଜାବ ନିର୍ବାଚନରେ ଦେଖିବାକୁ ମିଳିଛି । ଏହି ବୈଠକରେ ବିଜେପିର ସବୁ ପ୍ରଦେଶ ଅଧ୍ୟକ୍ଷ, ପ୍ରବେଶ ପ୍ରଭାରୀ ଓ ସବୁ ପ୍ରଦେଶର ସାଂଗଠନିକ ମୁଖ୍ୟ ମାନେ ଯୋଗ ଦେଇଛନ୍ତି । ଅନ୍ୟପଟେ ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ କିଛି ସମୟ ଡେରିରେ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି ।

ବୈଠକକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ଏଜେଣ୍ଡା ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ହେଲେ ଅନୁମାନ କରାଯାଉଛି କି ଏହି ବୈଠକରେ ବିଶେଷ ଭାବେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ରଣନୀତି ଓ କୃଷକ ଆନ୍ଦୋଳନ ଫଳରେ ଦେଶରେ ମଳିନ ପଡୁଥିବା ଛବି ଉପରେ ଆଲୋଚନା ହେବ ।