କନକ ବ୍ୟୁରୋ : ବାତ୍ୟା ୟାସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ୟାସ୍ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ କେବଳ ଓଡ଼ିଶାକୁ ୫୦୦ କୋଟି ମିଳିବ । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାକି ୫୦୦ କୋଟି ଉଭୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପାଇଁ ଘୋଷଣା କରାଯାଇଛି ।

Advertisment

ସେହିଭଳି ବାତ୍ୟା ପ୍ରଭାବରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଭଳି ବିପଦ ସମୟରେ କେନ୍ଦ୍ର ପକ୍ଷରୁ ରାଜ୍ୟ ଗୁଡିକୁ ସବୁ ପ୍ରକାର ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଏସବୁ ଭିତରେ ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।