କନକ ବ୍ୟୁରୋ : ଉତ୍କଳ ଦିବସର ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଉକ୍ରଳ ଦିବସରେ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ଓ ଅନ୍ୟ ଐତିହ୍ୟର ଭୂମି ଓଡ଼ିଶା ବିଶ୍ୱକୁ ଶାନ୍ତି ଓ ପ୍ରେମର ବାର୍ତା ଦେଇଥାଏ । ସେହିପରି ଓଡ଼ିଆରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ପ୍ରଗତିରେ ଓଡ଼ିଆ ଲୋକଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି । ଓଡ଼ିଆ ସଂସ୍କୃତି ସାରା ବିଶ୍ୱରେ ପ୍ରଶଂସିତ । ଏହା ସହ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଓଡ଼ିଶାବାସୀଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଉତ୍କଳ ଦିବସର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମହାନ ପୁରୋଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାଷା ଭିତିରେ ଓଡ଼ିଶାକୁ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ଅନେକ ମହାପୁରୁଷଙ୍କର ତ୍ୟାଗ, ଉତ୍ସାହ ଓ ପ୍ରଚେଷ୍ଟା ଅବିସ୍ମରଣୀୟ । ଏହା ସହ ଗୌରବମୟ ଓଡ଼ିଶା ଇତିହାସରେ ବୀର ସଂଗ୍ରାମୀଙ୍କ ଅବଦାନକୁ ମନେପକାଇଛନ୍ତି । ରାଜ୍ୟର ବିକାଶ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠାର ବିଚାରକୁ ଆପଣାଇବା ଜରୁରୀ । ଓଡ଼ିଆ ଜାତିକୁ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପଡ଼ିବ । ଏହା ସହ ଓଡ଼ିଆ ଭାଷାକୁ ଐତିହ୍ୟ ଭଳି ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପରାଶର୍ମ ଦେଇଛନ୍ତି ।