ଶ୍ରୀ ରାମଲଲ୍ଲାଙ୍କୁ କ୍ଷମା ମାଗିଲେ ମୋଦୀ । ପ୍ରାଣ ପ୍ରତିଷ୍ଠା ପରେ ଭାଷଣ ଦେବାବେଳେ ହେଲେ ଭାବବିହ୍ୱଳ ।

792

କନକ ବ୍ୟୁରୋ: ମନ୍ଦିରର ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଶାଳ ସନ୍ଥ ଓ ଶ୍ରଦ୍ଧାଳୁ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ରାମ ମନ୍ଦିର ପ୍ରତିଷ୍ଠା ଯାଏଁ ହୋଇଥିବା ସଂଘର୍ଷର କାହାଣୀକୁ ବଖାଣିଲେ ମୋଦୀ ।

ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କଲେ ମୋଦୀ । କହିଲେ , ବୋଧହୁଏ ଆମର ପୁରୁଷାର୍ଥ, ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା । ୫୦୦ ବର୍ଷ ଧରି କେତେ ପୁଣ୍ୟାତ୍ମା ଏହି ପୁଣ୍ୟ ଦିନଟି ପାଇଁ ବଳିଦାନ ଦେଇଛନ୍ତି । କେତେ ନ୍ୟାୟିକ ସଂଘର୍ଷ ଚାଲିଛି । ଶେଷରେ ନ୍ୟାୟିକ ନିଷ୍ଠାର ବିଜୟ ହୋଇଛି । ନ୍ୟାୟିକ ପଦ୍ଧତିରେ ମଧ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ପୂର୍ବଜ ପୁଣ୍ୟାତ୍ମା ମାନଙ୍କର ଆଶିଷ ଓ ତପସ୍ୟା ମଧ୍ୟ ଫଳପ୍ରସୂ ହୋଇଛି । ତଥାପି ଏ ଦିନଟି ପାଇଁ ଏତେ ବିଳମ୍ବ ହୋଇଥିବାରୁ ମୁଁ ଶ୍ରୀରାମଙ୍କୁ କ୍ଷମା ମାଗୁଛି । କିନ୍ତୁ ଦୃଢ ବିଶ୍ୱାସ ଆଜି ପ୍ରଭୁ ଶ୍ରୀରାମ ଆମକୁ ନିଶ୍ଚୟ କ୍ଷମା କରିଛନ୍ତି କରିଛନ୍ତି । ଆଜି ଦେଶର ସବୁ ଅଭାବ ପୂରଣ ହୋଇଛି । ସବୁ ଅପେକ୍ଷାର ଅନ୍ତ ହୋଇଛି । ସନାତନର ଧ୍ୱଜା ଉଡାଇ ରାଷ୍ଟ୍ର ପ୍ରଗତି ଓ ଏକତା ରାସ୍ତାରେ ଆହୁରି ଆଗେଇଛି’ ।

୧୧ ଦିନର ନିଷ୍ଠାପର ବ୍ରତ ଧାରଣ ସହ ଆଜି ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମୋଦୀ । ୧୧ ଦିନ ଧରି ବ୍ରତ ଧାରଣ ସହ ଶ୍ରୀରାମଙ୍କ ପଦାଙ୍କ ଅନୁସରଣରେ ଦେଶର ବିଭିନ୍ନ ତୀର୍ଥକ୍ଷେତ୍ରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଆଶିଷ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ତାଙ୍କର ବ୍ରତ ପୂରଣ ହୋଇଛି । ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଦେଶବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ହୋଇଛି ବୋଲି କହିଛନ୍ତି ମୋଦୀ ।