ଆସନ୍ତା ୧୨ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦୱାଜ । ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମର ନେତୃତ୍ୱ ନେଇ ବାତ୍ୟା ସ୍ଥିତିର କରିବେ ସମୀକ୍ଷା ।

107

କନକ ବ୍ୟୁରୋ: ବାତ୍ୟା ‘ଫୋନି’ର ସ୍ଥିତି ସମୀକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଓଡ଼ିଶା ଅସିବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦୱାଜ । ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମଙ୍କ ସହ ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବ ଏହି ଟିମ୍ । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କୁ ଚିଠି ଯୋଗେ ଅବଗତ କରାଯାଇଛି ।

ଗତ ୬ ତାରିଖ ଦିନ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦୱାଜ । ତେବେ ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ବିବେକ ଭରଦୱାଜ ଭୁବନେଶ୍ୱରରେ ପହଁଚିବେ ବୋଲି ଚିଠିରେ ଉଲ୍ଲେଖ ରିହିଛି । ସେହି ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭୁବନେଶ୍ୱରରେ ପହଁଚିବା ପରେ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ବିଶେଷ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହ କ୍ଷୟକ୍ଷୟତିର ଆକଳନ କରିବେ ।