ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଖୁବ୍‌ଶୀଘ୍ର : ଆଜିଠୁ ଫର୍ମ ପୂରଣ, ପଡ଼ିବନି ଫି

710

କନକ ବ୍ୟୁରୋ : ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ। ଏଥିଲାଗି ଆସନ୍ତାକାଲି (ଶୁକ୍ରବାର)ଠାରୁ ଫର୍ମ ପୂରଣ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ଅକ୍ଟୋବର ୧ ସୁଦ୍ଧା ନିଜ କଲେଜରେ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ଅନୁଯାୟୀ କୋଭିଡ୍‌-୧୯ ସଂକ୍ରମଣ ପାଇଁ ଯୁକ୍ତ୨ ପରୀକ୍ଷା ଅଧାରୁ ବାତିଲ୍‌ କରିବାକୁ ପଡ଼ିଥିଲା। ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ଉକ୍ତ ୪ଟି ବିଭାଗର ୨୩ଟି ବିଷୟର ପରୀକ୍ଷା ହୋଇପାରି ନ ଥିଲା। ଯେଉଁଥିପାଇଁ ଛାତ୍ରଛାତ୍ରୀ ପୂର୍ବରୁ ଦେଇଥିବା ବିଷୟଗୁଡ଼ିକର ପରୀକ୍ଷାର ହାରାହାରି ମାର୍କ ଆଧାରରେ ବାକି ବିଷୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ତେବେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ‌ଦେଇ ନ ଥିବା ବିଷୟଗୁଡ଼ିକ ମାର୍କରେ ସନ୍ତୁଷ୍ଟ ନ ଥିବେ ସେମାନେ ଏହି ଇଚ୍ଛାଧୀନ ବିଷୟରେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷାରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ‌ତାହା ଚୂଡ଼ାନ୍ତ ବୋଲି ଧରାଯିବ। ପୂର୍ବରୁ ହରାହାରି ମୂଲ୍ୟାୟନରେ ସେମାନଙ୍କୁ ମିଳିଥିବା ମାର୍କକୁ ଗ୍ରହଣ କରାଯିବ ନାହିଁ ।

ମାର୍କ କମିଲେ କି ବଢ଼ିଲେ ତାହା ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ ଏବଂ ଛାତ୍ରଛାତ୍ରୀ ପୁରୁଣା ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ପରିଷଦ ନିକଟରେ ଦାଖଲ କରି ନୂଆ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଗ୍ରହଣ କରିବେ। ତେବେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବା ସମୟରେ ଅଭିଭାବକଙ୍କ ସ୍ବୀକୃତି ନିତ୍ୟାନ୍ତ ଆବଶ୍ୟକ। ଯଦି କୌଣସି ଜରୁରୀ କାରଣ ଲାଗି ଅଭିଭାବକ ଅନୁପସ୍ଥିତ ରୁହନ୍ତି ତେବେ ପରୀକ୍ଷାର୍ଥୀ ଅଭିଭାବକଙ୍କ ସ୍ବୀକୃତି ଫର୍ମ ପୂରଣ କରି କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବେ।